ଆମେରିକାର ଟାମ୍ପା ସହରରେ ପାଳନ କରାଗଲା ଦୁର୍ଗାପୂଜା

ଟାମ୍ପା,୩।୧୦: ଆମେରିକାର ଦକ୍ଷିଣ-ପୂର୍ବରେ ଥିବା ଫ୍ଲୋରିଡା ରାଜ୍ୟର ଟାମ୍ପା ସହରରେ ପ୍ରବାସୀ ଓଡ଼ିଆମାନେ ବଡ଼ ଧୁମଧାମରେ ଦୁର୍ଗାପୂଜା ପାଳନ କରିଛନ୍ତି। ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ପାରମ୍ପରିକ ରୀତିନୀତି ଓ ପୂଜା ପଦ୍ଧତି ଅନୁଯାୟୀ ସ୍ଥାନୀୟ ଆୟପ୍ପା ମନ୍ଦିରରେ ପାଳନ କରାଯାଇଛି। ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଚାଲିଥିବା ଏହି ଦୂର୍ଗାପୂଜାରେ ଶତାଧିକ ପ୍ରବାସୀ ଭାରତୀୟଙ୍କ ସମେତ କେତେଜଣ ଆମେରିକୀୟ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ପ୍ରତିଦିନ ସନ୍ଧ୍ୟାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟା ଆରତୀ, କନ୍ୟା ପୂଜନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଗରବା ତଥା ସିନ୍ଦୂର ଖେଳରେ ଝୁମି ଉଠିଛନ୍ତି ଶ୍ରଦ୍ଧାଳୁ ଭକ୍ତମାନେ। ୨୦୨୦ରୁ ପାଳିତ ହୋଇ ଆସୁଛି ଏହି ଦୂର୍ଗାପୂଜା। ଏହି କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ହେଉଥିବା ଦେଖି ଦୂର୍ଗାପୂଜା ପରିଚାଳନା କମିଟିର ସଦସ୍ୟମାନେ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି।