କେନ୍ଦୁଝର,୩୦ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଳକ ନୟାକୋଟ ଥାନା ଅନ୍ତର୍ଗତ ଦୁଧପୋଶି ଗ୍ରାମରେ ଘଟିଛି ଅଘଟଣ। ରାସ୍ତାରେ ପକାଯାଉଥିବା ମାଟିକୁ ଆଣିବାକୁ କେନ୍ଦ୍ର କରି କଳହ ସୃଷ୍ଟି ହୋଇ ଭୁଲବୁଝାମଣାରୁ ଦାଦାଙ୍କୁ କୋଦାଳରେ ହାଣି ହତ୍ୟା କରିଛନ୍ତି ପୁତୁରା। ମୃତକ ଦାଦା ହେଲେ ଦୁଧପୋଶି ଗାଁର ମହେଶ୍ବର ମହାକୁଡ(୫୫)। ହତ୍ୟାକାରୀ ପୁତୁରା ଧରଣୀଧର ମହାକୁଡ(୨୫)ଓରଫ ସିପୁଙ୍କୁ ନୟାକୋଟ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, ଗତ ୨୨ତାରିଖ ସୋମବାର ଦୁଧପୋଶି ଗାଁ ଛକ ଠାରୁ ଶିମିଳିସାହି ପର୍ଯ୍ୟନ୍ତ ନୂତନ କଂକ୍ରିଟ ରାସ୍ତା କାମ ଚାଲିଥିଲା। ଖୋଳା ଯାଉଥିବା ମାଟି ନେବାକୁ ନେଇ ଉଭୟ ଦାଦା ପୁତୁରାଙ୍କ ମଧ୍ୟରେ ବଚସା ହୋଇଥିଲା। ଉତ୍ତ୍ୟକ୍ତ ହୋଇ ଧରଣୀଧର ମହେଶ୍ବରଙ୍କ ମୁଣ୍ତକୁ ଏକ କୋଦାଳରେ ଆକ୍ରମଣ କରିଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ହେବା ସହିତ ମହେଶ୍ବର ଗଭୀର ଆଘାତ ପାଇ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ପ୍ରଥମେ ବାଂଶପାଳ ପରେ କେନ୍ଦୁଝର ଧରଣୀଧର ମେଡିକାଲକୁ ପରିବାର ଲୋକେ ଆଣିଥିଲେ। ସେଠାରେ ତାଙ୍କର ଅବସ୍ଥା ସଂଙ୍କଟାପନ୍ନ ହେବାରୁ କଟକ ଏସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଅଶ୍ବିନୀ ଟ୍ରମାସେଣ୍ଟର ଏକ ଘୋରଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ସାଢେ ୧୦ଟାବେଳେ ମହେଶ୍ବରଙ୍କ ମୃତ୍ୟୁ ଘଟିଛି। ଏନେଇ ନୟାକୋଟ ପୋଲିସ ୧୭୨/୨୫ରେ ଏକ ହତ୍ୟା ମାମାଲା ରୁଜୁ କରି ତଦନ୍ତ କରୁଛି।