ଶ୍ରାବଣରେ ଶୁଖିଲା ଚାଷଜମି ଅଟକିଛି ଧାନରୁଆ, ବିହୁଡା

ରିଷିଡ଼ା,୨୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚଳିତ ଖରିଫରେ ବର୍ଷାଭାବ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ଶ୍ରାବଣ ମାସରେ ଚାଷ ଜମିରେ ପାଣି ନାହିଁ। ଫଳରେ ଧାନରୁଆ ଓ ବିହୁଡା କାର୍ଯ୍ୟ ଅଟକି ରହିଛି। ରିଷିଡ଼ା ଗ୍ରାମର ପ୍ରମୋଦ ସାହୁ, ପୌରକେଲା ଗ୍ରାମର ଦୟାନିଧି ସାହୁ, କର୍ଲାମୁଣ୍ଡାରୁ ନନ୍ଦୀକିଶୋର ଭୋଇ ପ୍ରମୁଖ ଚାଷୀମାନେ ଏହା ପ୍ରାକ ମରୁଡ଼ିର ସୂଚନା ବୋଲି କହିଛନ୍ତି। ଚଳିତ ବର୍ଷା ଋତୁରେ କେବେ କେମିତି କାଁ ଭାଁ ବର୍ଷା ହେଉଛି। ପୋଖରୀ, ଜୋର, ନାଳ, ଶୁଖିଲା ରହିଥିବା ବେଳେ ବାହାଲରେ ଅଦ୍ୟାବଧି ପାଣି ଚାଲି ନାହିଁ। ଅନେକ ଜମି ଫାଟି ଆଁ କଲାଣି। କେନାଲ ଦ୍ୱାରା ଜଳସେଚନ ହେଉଥିଲେ ମଧ୍ୟ ତଳ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ। କେନାଲ ସଫେଇ କିଛି ସ୍ଥାନରେ କରି ଅଧାପନ୍ତରିଆ ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ସମସ୍ୟା ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଏ ସମ୍ପର୍କରେ କର୍ଲାମୁଣ୍ଡା ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର ସିଂଙ୍କୁ ପଚାରିବାରୁ ବ୍ଲକର ସମସ୍ତ ପଞ୍ଚାୟତ ଚାଷ ଜମି ବୁଲି ସର୍ଭେ କରାଯାଉଛି ବୋଲି କହିଛନ୍ତି।