ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢି ଚାଲିଛି ନିଶା କାରବାର। ବେଆଇନ ନିଶା କାରବାର ରୋକିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ପୋଲିସ ଏବଂ ଅବକାରୀ ମଧ୍ୟ ଚିରାଚରିତ ଢଙ୍ଗରେ ବିଭିନ୍ନ ସମୟରେ ଚଢାଉ କରୁଛନ୍ତି। କିନ୍ତୁ ଜିଲାରେ ନିଶା କାରବାର ଥମିବାର ନାଁ ନେଉ ନାହିଁ। ଏଭଳି ଭାବେ ବରଗଡ଼ ପୌରା ପରିଷଦର ୱାର୍ଡ ନଂ-୧୫ ଅଧୀନ ଗୋବିନ୍ଦପାଲିରେ ନିଶା କାରବାର ଓ ନିଶା ସେବନ ଦିନକୁ ଦିନ ବଢିବାରେ ଲାଗିଛି। ଏଥିପାଇଁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି।
ଏହି କ୍ରମରେ ଗୁରୁବାର ଗୋବିନ୍ଦପାଲି ପଡାବାସୀ ମିଳିତଭାବେ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ବରଗଡ଼ ଏସ୍ପିଙ୍କଠାରେ ଦାବି କରିଛନ୍ତି। ଏ ନେଇ ଏସପି ପି. ଏସ ମୀନାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗୋବିନ୍ଦପାଲି ସ୍କୁଲ ପଛପଟେ, ନାଗାଚା ମନ୍ଦିର ପଛପଟେ ନିଶାଖୋରଙ୍କ ଆଡ୍ଡା ଜମି ଥିବାରୁ ପଡ଼ାବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି। ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ବିଭିନ୍ନ ସମୟରେ ପୋଲିସ ପାଟ୍ରୋଲିଂ, ଆଡ୍ଡାସ୍ଥଳୀକୁ ଚି଼ହ୍ନଟ, ସିସିଟିଭି ଲଗାଇବା, ସ୍ପିଡ଼ ଗାଡି ଚାଲନ ଉପରେ ଅଙ୍କୁଶ ଲଗାଇବା, ଏଥିପାଇଁ ସଚେତନତା ସୃଷ୍ଟି କରିବା କିମା ହେଲ୍ପ ଲାଇନ ନମ୍ବର ଯୋଗାଇ ଦେବାକୁ ପଡ଼ାବାସୀ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି।
ସେହିପରି ଜନବହୁଳ ଗୋବିନ୍ଦପାଲିରେ ଗୋଟିଏ ପୋଲିସ ଫାଣ୍ଡି ସ୍ଥାପନ କରିବାକୁ ଦାବି ହୋଇଛି। ପଡ଼ାର ଜାପାନ ମହାପାତ୍ର, ବୀରେନ୍ଦ୍ର ପ୍ରଧାନ, ସୁଶାନ୍ତ ଦାଶ, କାଉନସିଲର ଅକ୍ରୁର ବାରିକ୍, ସୁଜିତ ସାହୁ, ସୀତାରାମ ନାଏକ, ଗୋପାଳ ପ୍ରଧାନ, ରାଜେଶ ରଥ, ଉଗ୍ରେ ପ୍ରଧାନ, ତୋଷବନ୍ତ ସାହୁ, କେଦାର ସାହୁ, ସୁରେନ୍ଦ୍ର ସାହୁ, ସଞ୍ଜୀବ ମହାନ୍ତି, ଭବାନୀ ସାହୁ, କୁନା ବିଭାର ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।