ଅବାଧରେ ଚାଲିଛି ନିଶା କାରବାର: ପୋଲିସ ବାବୁଙ୍କ ଫାର୍ମ ହାଉସ୍‌ରେ…

ବରଗଡ଼,୨୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଗାଁଠୁ ସହର ସବୁଠି ଅବାଧରେ ଚାଲିଛି ନିଶା କାରବାର। ଚିରାଚରିତ ଢଙ୍ଗରେ ପୋଲିସ ଓ ଅବକାରୀ ବିଭାଗ ଧରପଗଡ଼ କରୁଛନ୍ତି। ଚୋରାମଦ, କଫ ସିରପ୍‌, ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ ଜବତ ହେଉଛି। କିନ୍ତୁ ନିଶାଦ୍ରବ୍ୟ କାରବାରର କିଙ୍ଗପିନ୍‌ଙ୍କ ପାଖକୁ ନା ପୋଲିସ ପହଞ୍ଚୁଛି, ନା ଅବକାରୀ ତାଙ୍କୁ ଗିରଫ କରିପାରୁଛି। ଅନ୍ୟପଟେ ଏଭଳି କାରବାର ପଛରେ କଫ ସିରପ୍‌ ମାଫିଆଙ୍କ ସହିତ ପୋଲିସ, ଅବକାରୀ ଲିଙ୍କ୍‌କୁ ନେଇ ସାଧାରଣରେ ଆଲୋଚନା ଜୋର୍‌ ଧରିଛି। ବୁଧବାର ବରଗଡ଼-କଟାପାଲି ରାସ୍ତାପାର୍ଶ୍ୱ ବାଞ୍ଜିବାହାଲି କେନାଲ ବ୍ରିଜ ଅନତି ଦୂରରେ ରହିଥିବା ଏକ ଘରୁ ସ୍ଥାନୀୟ ଟାଉନ ଥାନା ପୋଲିସ ୫୦୫୦ ବୋତଲ କଫ ସିରପ୍‌ ଜବତ ଘଟଣା ପରେ କଫ ସିରପ୍‌ ମାଫିଆ-ପୋଲିସ ଅଧିକାରୀଙ୍କ ସମ୍ପର୍କ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ପରେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ଘଟଣା ପଦାକୁ ଆସିଛି।
ବରଗଡ଼ ଟାଉନ ଥାନା ପୋଲିସ ଯେଉଁ ଘରୁ ଏଭଳି ବିପୁଳ ପରିମାଣରେ କଫ ସିରପ୍‌ ଜବତ କରିଥିଲା, ତାହା ଜିଲା ବାହାରେ ପୋଲିସ ବିଭାଗର ଏସ୍‌ଡିପିଓ ଭାବେ କାର୍ଯ୍ୟରତ ଜଣେ ବରିଷ୍ଠ ଏବଂ ପୋଲିସ ଅଧିକାରୀଙ୍କ ଫାର୍ମ ହାଉସ୍‌ ବୋଲି ସୂଚନା ମିଳିଛି।
ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ ୬ଜଣଙ୍କୁ ଗିରଫ କରିଥିବା ବେଳେ ୨ନାବାଳକଙ୍କୁ ଅଟକ ରଖିଥିଲା, ମାତ୍ର ଏତେ ପରିମାଣର କଫ ସିରପ୍‌ ଯେଉଁ ଫାର୍ମ ହାଉସ୍‌ ଘରେ ଗଚ୍ଛିତ ଥିଲା, ସେହି ଫାର୍ମ ହାଉସ୍‌ ମାଲିକଙ୍କ ନାମ ଜବତ କଫ ସିରପ୍‌ ମାମଲାରେ ମଧ୍ୟ ନାହିଁ। ଏହି କ୍ଷେତ୍ରରେ ସମ୍ପୃକ୍ତ ଫାର୍ମ ହାଉସ୍‌ ମାଲିକଙ୍କୁ ଅନୁକମ୍ପା ଓ ସୁରକ୍ଷା ବରଗଡ଼ ପୋଲିସର ଦକ୍ଷତାକୁ ପଦାରେ ପକାଇ ଦେଇଛି। ସମ୍ପୃକ୍ତ ଫାର୍ମ ହାଉସ୍‌ ମାଲିକ ଜଣେ ଏସ୍‌ଡିପିଓ ହୋଇଥିବାରୁ ତାଙ୍କ ପ୍ରତି ବରଗଡ଼ ପୋଲିସ ସେଭଳି ଅନୁକମ୍ପା ପ୍ରଦର୍ଶନ କରିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।
ଏଠାରେ ଉଲ୍ଲେଖନୀୟ, ଜିଲାରେ ନିଶା କାରବାର ବୃଦ୍ଧି ଯୋଗୁ ଜିଲାରେ ଦିନ ଦ୍ୱିପ୍ରହରରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଚୋରି, ଲୁଟ, ଆକ୍ରମଣଠାରୁ ଆରମ୍ଭ କରି ହତ୍ୟା ଭଳି ଅପରାଧ ଘଟୁଛି। କେବଳ ସେତିକି ନୁହେଁ, ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ତେବେ ପୋଲିସ ବିଭାଗର ଜଣେ ଏସ୍‌ଡିପିଓ ପାହ୍ୟାର ଅଧିକାରୀଙ୍କ ଫାର୍ମ ହାଉସ୍‌ରେ କଫ ସିରପ୍‌ କାରବାର ଚାଲିଥିବା ଘଟଣା ପଦାକୁ ଆସିବା ପରେ ଏହା ଜିଲାବାସୀଙ୍କ ମନକୁ ଆନ୍ଦୋଳିତ କରି ପକାଇଛି। ସମ୍ପୃକ୍ତ ଅଧିକାରୀ ଜିଲା ବାହାରେ କାର୍ଯ୍ୟ କରୁଥିଲେ ହେଁ ତାଙ୍କ ଫାର୍ମ ହାଉସରେ ଚାଲିଥିବା ଏଭଳି କଫ ସିରିପ୍‌ କାରବାର ପ୍ରତି କିଭଳି ଅଜ୍ଞ ଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ବାଞ୍ଜିବାହାଲି ଗ୍ରାମର ବ୍ରହ୍ମା ମହାକୁର କହିଛନ୍ତି, କଫ ସିରପ୍‌ ଯେଉଁଠି ଜବତ ହୋଇଛି, ତାହା ଜଣେ ପୋଲିସ ଅଧିକାରୀଙ୍କ ଘର। ପୋଲିସ ଅଧିକାରୀଙ୍କ ଘରଠାରୁ ଯଦି ଏହିଭାବେ କଫ୍‌ ସିରପ୍‌ ଜବତ ହେଉଛି, ଅନ୍ୟଲୋକଙ୍କ ଘରେ କାହିଁକି ନ ହେବ। ସମ୍ପୃକ୍ତ ପୋଲିସ ଅଧିକାରୀ ତଦନ୍ତ ପରିସରଭୁକ୍ତକୁ ଆସିବା ଉଚିତ। ଏ ନେଇ ଆମେ ବାଞ୍ଜିବାହାଲି ଗ୍ରାମବାସୀ ଆଇଜି, ଡିଜି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିବୁ। ସେହିପରି ଅନ୍ୟଜଣେ ଗ୍ରାମବାସୀ ଗଣେଶ ମହାକୁର କହିଛନ୍ତି, ଆମ ଏ ଅଞ୍ଚଳରେ କେବେ ସେଭଳି କାରବାର ହେଉଥିବା ନେଇ ଆମେ ଜାଣି ନ ଥିଲୁ। ଆଜି ସେଭଳି ଘଟଣା ଆମକୁ ଆଚମ୍ବିତ କରି ପକାଇଛି। ୨ଦିନ ତଳେ ଯେଉଁ ଘରେ କଫ ସିରପ୍‌ ଜବତ ହୋଇଛି, ତାହା ଜଣେ ପୋଲିସ ଅଧିକାରୀଙ୍କ ଘର। ବରଗଡ଼ ପୋଲିସ ପ୍ରଶାସନ ଏହି ଘଟଣାରେ ଯେଉଁମାନଙ୍କୁ ଗିରଫ କରିଛି, ସେମାନେ ଗଛର ଡାଳ, ପତ୍ର ସଦୃଶ। ପୋଲିସ ଚେରକୁ ଉପାଡ଼ୁ ଏବଂ ଯେଉଁ ଘରେ ଏଭଳି କାରବାର ଚାଲିଥିଲା, ସେହି ଘର ମାଲିକଙ୍କୁ ମଧ୍ୟ ଗିରଫ କରୁ। ନଚେତ ଆମେ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହେବୁ।

 

Dharitri – Odisha’s No.1 Odia Daily