ବସ୍ତା, ୧୬।୪(ହରିଶଙ୍କର ପାଢ଼ି): ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଗାନ୍ଧୀ ଛକ ନିକଟରେ ମଙ୍ଗଳବାର ଅପରାହ୍ନ ୨ଟା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ଖେଳୁଥିବା ସମୟରେ ଦୁଇ ସମ୍ପର୍କୀୟ ନାବାଳିକା ଭଉଣୀ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ନାବାଳିକାଦ୍ୱୟ ହେଲେ ଶେଖ୍ ତାଇରୁଦ୍ଦିନ ଏବଂ ଶେଖ ନାଜିମୁଦ୍ଦିନଙ୍କ ଝିଅ। ଉଭୟଙ୍କ ବୟସ ୬ ହେବ।
ଦୁହେଁ ଖେଳୁଥିବା ବେଳେ ଘର ପଛ ପଟ ପୋଖରୀକୁ ଯାଇଥିଲେ। ଅସାବଧାନତାରୁ ଉଭୟେ ବୁଡ଼ି ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବାରୁ ନାବାଳିକାଦ୍ୱୟ ପାଣିରେ ଭାସୁଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏ ସମ୍ପର୍କରେ ପୋଲିସ ଦୁଇଟି ପୃଥକ୍ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏକାବେଳେ ଦୁଇଜଣଙ୍କୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।