ନୂଆଦିଲ୍ଲୀ,୮।୫: ସୋସିଆଲ ମିଡିଆରେ ଭାଇରାଲ ରିପୋର୍ଟ ଅନୁଯାୟୀ, ଗୁରୁବାର ରାୱାଲପିଣ୍ଡି କ୍ରିକେଟ ଷ୍ଟାଡିୟମ ନିକଟରେ ଏକ ଡ୍ରୋନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ପେଶାୱାର ଜାଲମି ଏବଂ କରାଚୀ କିଙ୍ଗସ ମଧ୍ୟରେ ନିର୍ଦ୍ଧାରିତ ପାକିସ୍ତାନ ସୁପର ଲିଗ (ପିଏସଏଲ) ମ୍ୟାଚ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଘଟିଛି, ଯାହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସୁରକ୍ଷା ଚିନ୍ତାକୁ ଆହୁରି ବୃଦ୍ଧି କରିଛି।
ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ଷ୍ଟାଡିୟମ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟ ଭବନରେ ଆଂଶିକ କ୍ଷୟକ୍ଷତି ହୋଇଛି। ସ୍ଥାନୀୟ ପାକିସ୍ତାନୀ ରିପୋର୍ଟ ଅନୁସାରେ, କର୍ତ୍ତୃପକ୍ଷ ଏହି ଅଞ୍ଚଳକୁ ସିଲ୍ କରିଦେଇଛନ୍ତି ଏବଂ ଡ୍ରୋନର ଉତ୍ପତ୍ତି ଏବଂ ଏହା କୌଣସି ବିସ୍ଫୋରକ ବହନ କରୁଥିଲା କି ନାହିଁ ତାହାର ତଦନ୍ତ କରୁଛନ୍ତି।
ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ଜଣ ନାଗରିକଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି।
ଘଟଣାସ୍ଥଳର ଦୃଶ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟାପକ ଭାବେ ପ୍ରଚାରିତ ହୋଇଛି।
ରାୱାଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ମେ ୮ ତାରିଖ ରାତି ୮ଟାରେ ପେଶାୱାର ଜାଲମି ବନାମ କରାଚୀ କିଙ୍ଗସ ମଧ୍ୟରେ ଏକ ମ୍ୟାଚ ଖେଳାଯିବାର ନିର୍ଦ୍ଧାରିତ ହୋଇଥିଲା। ଡ୍ରୋନ ଦୁର୍ଘଟଣା ଯୋଗୁଁ ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳି ଏବଂ ଦର୍ଶକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।
ଏହାପୂର୍ବରୁ, ଦି ଟେଲିଗ୍ରାଫ ରିପୋର୍ଟ କରିଥିଲା ଯେ ପିଏସଏଲରେ ଅଂଶଗ୍ରହଣ କରୁଥିବା ଇଂଲଣ୍ଡର ଖେଳାଳିମାନେ ଦେଶରେ ରହିବା କିମ୍ବା ଘରକୁ ଫେରିବା ନେଇ ଦ୍ବନ୍ଦରେ ଅଛନ୍ତି। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ସୁରକ୍ଷା ପରିସ୍ଥିତିର ମୂଲ୍ୟାଙ୍କନ ପାଇଁ ଏକ ଜରୁରୀ ବୈଠକ ଡାକିଛି।
ଲାହୋର ଏବଂ କରାଚୀରେ ବିସ୍ଫୋରଣ ରିପୋର୍ଟ
ଅନ୍ୟପକ୍ଷରେ, ଗୁରୁବାର ଲାହୋର ଏବଂ କରାଚୀ ସହରରେ ଏକାଧିକ ବିସ୍ଫୋରଣର ଖବର ମିଳିଛି। ଲାହୋରର ଓ୍ଵାଲଟନ ରୋଡ ଅଞ୍ଚଳରେ ତିନୋଟି ବିସ୍ଫୋରଣ ଘଟିଥିଲା, ଯାହା କାରଣରୁ ସ୍ଥାନୀୟ ବାସିନ୍ଦାମାନେ ଭୟଭୀତ ହୋଇ ପଳାୟନ କରିଥିଲେ। ସହର ସରା ଧୂଆଁର ମାୟା ହୋଯାଇଥିଲା ଏବଂ ଜରୁରୀକାଳୀନ ସେବା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।