ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ପିପିଲିପାଲିରେ ପୋଖରୀ, ନାଲା ଶୁଖିଲା ପଡିଛି। ଏପରି ଗ୍ରାମର ନଳକୂପରୁ ପାଣି ବାହାରୁ ନାହିଁ। ଏଭଳି ପରିସ୍ଥିତିରେ ପାଣି ପାଇଁ ଗ୍ରାମବାସୀ ଡହଳବିକଳ ହେଉଥିବା ଅଭିଯୋଗ କରିଛନ୍ତି। ଲୋଇସିଂହା ବ୍ଲକରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଭିଯୋଗ ପରେ ଜିଲାପ୍ରଶାସନ ପକ୍ଷରୁ ଗାଁକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଛି। ପ୍ରକାଶ ଯେ, ଭରସୁଜା ପଞ୍ଚାୟତ ଭରସୁଜା ସଦର ଗାଁର ୧୨ନଂ. ୱାର୍ଡର ଏକ ଅଂଶ ପିପିଲିପାଲି। ଗ୍ରାମର ଜନସଂଖ୍ୟା ୫ ଶହ ହେବ। ଗାଁ ନିକଟ ଦେଇଯାଇଥିବା କୁଲାରୀ ନାଲା ଓ ଗ୍ରାମର ପୋଖରୀ ଫାଲଗୁନ ମାସରୁ ଶୁଖିଲା ପଡିଛି। ଗ୍ରାମଠାରୁ ୨ କିମି ଦୂର ସର୍ଦ୍ଧପାଲି ଓ ଲକଣପାଲି ଗାଁର ପୋଖରୀକୁ ଗାଧୋଇବା ପାଇଁ ଯାଇଥାନ୍ତି ଗ୍ରାମବାସୀ। ଗ୍ରାମରେ ୪ଟି ନଳକୂପ ରହିଛି। ହେଲେ ନଳକୂପରୁ ପାଣି ବାହାରୁ ନ ଥିବାରୁ ତାହା କାମରେ ଆସୁନାହିଁ। ବହୁ ଅଭିଯୋଗ କଲା ପରେ ରବିବାର ଗ୍ରାମରେ ଏକ ନୂତନ ଭାବେ ନଳକୂପ ଖନନ କରାଯାଇଛି। ପାଣି ସଂଗ୍ରହ ପାଇଁ ଗ୍ରାମଠାରୁ ବହୁ ଦୂରକୁ ଯିବାକୁ ପଡୁଥିବା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ ଗ୍ରାମକୁ ଜଳ ଯୋଗାଣ ପ୍ରକ୍ରିୟା ହୋଇଛି। ଗ୍ରାମରେ ପାଇପ ପୋତା ସରିଯାଇଥିବାବେଳେ ଗାଁ ମୁଣ୍ଡ ପିଡବ୍ଲ୍ୟୁଡି ରାସ୍ତା ପାର୍ଶ୍ୱ ପୋଖରୀ ନିକଟରେ ଏକ ଚୂଆ ମଧ୍ୟ ଖୋଲା ଯାଇଛି ା ହେଲେ ବିଡମ୍ବନା ଯେ, ଦୀର୍ଘ ୪ ବର୍ଷ ହେଲା ପ୍ରକଳ୍ପ କାମ ଅଦ୍ୟାବଧି ସରି ପାରିନାହିଁ ା କେଉଁ ସ୍ବାର୍ଥରେ ପ୍ରକଳ୍ପ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମର ଦେବକୀ ପୋଢ, ଆହ୍ଲାଦିନୀ ପୋଢ, ସବିତା ପୋଢ, ବାସନ୍ତୀ ପୋଢ ପ୍ରମୁଖ ଶିବିରରେ ଏଡିଏମ୍ଙ୍କ ନିକଟରେ ଦାବି ଜଣାଇଛନ୍ତି।