ଦେବଗଡ଼,୨୯।୪,(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ଝରାଗୋଗୁଆ ଗ୍ରାମପଞ୍ଚାୟତ ଫୁଲପଥରଖୋଳ ଗ୍ରାମରେ ପାନୀୟଜଳ ସମସ୍ୟା ଦେଖାଦେଇଥିବା ବେଳେ ଏହାର ସମାଧାନ ନିମନ୍ତେ ଗ୍ରାମବାସୀ ଦେବଗଡ଼ ଜିଲାପାଳଙ୍କ ନିକଟରେ ଲିଖିତ ଗୁହାରୀ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପାନୀୟ ଜଳ ପାଇଁ ଉକ୍ତ ଗ୍ରାମରେ ଏକ ସୋଲାର ପ୍ରକଳ୍ପ ନିର୍ମିତ ହୋଇଥିବା ବେଳେ ଆଜକୁ ପ୍ରାୟ ୬ ମାସ ହେଲା ତାହା ଅଚଳ ହୋଇପଡିଛି । ଏଥିସହ ନଳକୂପରୁ ଦୂଷିତ ପାଣି ବାହାରୁଥିବାରୁ ଲୋକ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ପାନୀୟ ଜଳର ସମାଧାନ ପାଇଁ ଗ୍ରାମବାସୀ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରୁନାହିଁ । ଗୋଟିଏ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ କଲବଲ କରୁଥିବା ବେଳେ ପାନୀୟ ଜଳ ସମସ୍ୟା ଗ୍ରାମବାସୀଙ୍କ ସମସ୍ୟାକୁ ବଢାଇ ଦେଉଛି । ଗାଁରେ ଥିବା ନଳକୂପରୁ ଗୋଳିଆ ଏବଂ ଦୂଷିତ ପାଣି ବାହାରୁଛି। ଫଳରେ ଉକ୍ତ ନଳକୂପ ବ୍ୟବହାର ଅନୁପେଯାଗୀ ହୋଇ ପଡିଛି । ଏହାର ସମାଧାନ ପାଇଁ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।