କେସିଙ୍ଗା,୯।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିକିଆ ଗ୍ରାମପଞ୍ଚାୟତର ଡଙ୍ଗରମୂର୍ଲ୍ଲି ଗ୍ରାମର ୯, ୧୦ ନମ୍ବର ୱାର୍ଡରେ ୩୦ଟି ପରିବାର ବସବାସ କରୁଛନ୍ତି। ଏହି ୱାର୍ଡବାସୀ ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି। ବର୍ତ୍ତମାନ ନଳକୂପରେ ପାଣି ବାହାରିବା ବଦଳରେ ଲୁହା ଗୁଣ୍ଡ ବାହାରୁ ଥୁବାର ୱାର୍ଡବାସୀ ଅଭିଯୋଗ କରିଛନ୍ତି। ଏହି ଦୁଇଟି ୱାର୍ଡର ନଳକୂପର ପାଣି ପାଇଁ ୮ ଜଣ କିଡ଼ନୀ ରୋଗ ରେଇତି ମଧ୍ୟରେ ମୃତ୍ୟୁବରଣ କରିଛନ୍ତି ଓ ପ୍ରାୟ ୨୦ ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଛନ୍ତି।
ଗ୍ରାମରେ ବସୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ଡଙ୍ଗର ମୂର୍ଲ୍ଲି ଗ୍ରାମରେ ୧ କୋଟି ୨୭ ଲକ୍ଷ ୪୦ହଜାର ୭୯୦ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି। କିନ୍ତୁ ବସୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପ କୌଣସି କାମରେ ଆସୁ ନାହିଁ । ପାଇପ ଲାଇନ ସବୁ ପୋତା ହୋଇଛି। ପାଇପରେ ପାଣି ବି ଆସୁ ନାହିଁ। ଯାହାଫଳରେ ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ହେଲେ କାହାର ନଜର ନାହିଁ। ଡଙ୍ଗର ମୁର୍ଲ୍ଲି ଗ୍ରାମରେ ନିର୍ମିତ ବସୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପ ୨୮.୫.୨୦୨୧ ରେ ସମ୍ପୂର୍ଣ ହେଲାଣି ବୋଲି ସୂଚନା ଫଳକରେ ଲେଖା ଯାଇଛି। ଗାଧୋଇବା ପାଇଁ ଗୋଟିଏ ପୋଖରୀ ଅଛି। ସେଥିରେ ବି ପାଣି ନାହିଁ। ମାଟି ତଳ ଫାଟି ଆଁ କଲାଣି । ଏହି ସବୁ ସମସ୍ୟାର ପ୍ରତିବାଦରେ କିକିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ କିଶୋର ପ୍ରଧାନ, ନିର୍ବାହୀ ଅଧିକାରିଣୀ ଋତୁମ୍ଭରା ପୁରୋହିତ ନାଏବ ସରପଞ୍ଚ ଓ ଦୁଇ ଜଣ ୱାର୍ଡ ମେମ୍ବରଙ୍କୁ କାର୍ଯ୍ୟାଳୟ ବସିଥିବାବେଳେ ଗ୍ରାମର ଶତାଧିକ ମହିଳା, ପୁରୁଷ, ଯୁବକଙ୍କ ମିଳିତ ଉଦ୍ୟମରେ ଗ୍ରାମ ପଞ୍ଚାୟତରେ ତାଲା ପକାଇ ଗଣନ୍ଦୋଳନ କରିଥିଲେ।