ଗଞ୍ଜାମ,୪।୮(ବିଦ୍ୟାଧର ସାହୁ): ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେବାରେ ଲାଗିଛି l ଏଭଳି ପରିସ୍ଥିତିରେ ଖୋଦ ଗଞ୍ଜାମ ଏନଏସି ଅଧ୍ୟକ୍ଷାଙ୍କ ତିନି ନମ୍ବର ୱାର୍ଡରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି l ତିନି ଦିନରୁ ଉର୍ଦ୍ଧ୍ୱ ହେବ ପିଇବା ପାଣି ପାଇଁ ସାହିର ଲୋକମାନେ ଡହଳବିକଳ ହେଉଛନ୍ତି l ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଏଯାଏ ନିଆ ଯାଇ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି l ଏହି ୱାର୍ଡର ଦୁର୍ଗାଦେବୀ ସାହି, ଆଖଡ଼ା ବନ୍ଧ ସାହି, ବଜାର ଗୌଡ଼ ସାହିରେ ଆଜିକୁ ତିନିଦିନ ହେଲା ଷ୍ଟାଣ୍ଡ ପୋଷ୍ଟରୁ ପାଣି ଆସୁନି l ଅନ୍ୟ ୱାର୍ଡକୁ ଯାଇ ବୋତଲରେ ପାଣି ଆଣି ପିଉଥିବାବେଳେ କୁଅ ପୋଖରୀରୀରୁ ପାଣି ଆଣି ରୋଷେଇ କରୁଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି l ଯୁଦ୍ଧକାଳୀନ ଭିତ୍ତିରେ ପାନୀୟ ଜଳ ସମସ୍ୟା ସମାଧାନ କରା ନ ଗଲେ ଏନଏସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ୱାର୍ଡବାସୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l