ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଚିତ୍ରାଙ୍କନ ପ୍ରତିଯୋଗିତା

ଦିଗପହଣ୍ଡି, ୨୩ା୧୧(ଅଶେଷ ନାଥ ମିଶ୍ର): ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ସହଯୋଗରେ ରବିବାର ଦିଗପହଣ୍ଡି ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ଅଧ୍ୟକ୍ଷା ତଥା ସିଭିଲ ସିନିୟର ଡିଭିଜନ କୋର୍ଟ ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜାଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ପ୍ରତିଯେଗିତାରେ ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।

ଏଥିରେ ଶିଶୁଙ୍କ ଅଧିକାର, ବାଲ୍ୟ ବିବାହ ନିରୋଧ, ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ, ଶିଶୁଙ୍କ ଉପରେ ସାମାଜିକ ଗଣମାଧ୍ୟମର କୁପ୍ରଭାବ ଭଳି ବିଭିନ୍ନ ସାମାଜିକ ସଂସ୍କାରଭିତ୍ତିକ ଚିତ୍ର ଆଙ୍କିବାକୁ କୁହାଯାଇଥିଲା। ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଶିଶୁଙ୍କୁ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ା ତେବେ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ସମୟରେ ବରିଷ୍ଠ ଦଓ୍ବୋନି ବିଚାରପତି ପରିଜାଙ୍କ ସମେତ ଦିଗପହଣ୍ଡି ଜେଏମ୍‌ଏଫସି କୋର୍ଟ ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀ, ଖେମୁଣ୍ଡି ଓକିଲ ସଂଘ ପୂର୍ବତନ ସଭାପତି ହରପ୍ରସାଦ ରଥ ଓ ରସାନନ୍ଦ ରାଉତ ଅତିଥି ଭାବେ ଉପସ୍ଥିତ ଥିଲେ। ଶିବରାମ ସାହୁ, ପ୍ରଦୀପ ପୁରୋହିତ, ଅଞ୍ଜଳି ମହାରଣା, ଅଶ୍ବିନୀ ପଟ୍ଟନାୟକ ଓ ଅନ୍ୟମାନେ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

Share