ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା ପଡ଼ାବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ବରଗଡ଼ ପୌର ପରିଷଦ ଅଧିନ ୱାର୍ଡ଼ ନଂ-୨ ଏବଂ ୱାର୍ଡ଼ ନଂ-୪ର ନିର୍ଭରଯୋଗ୍ୟ ସ୍ଥାନୀୟ ଲମ୍ବା ବିଲଡ଼ିଂରୁ ତଳିପଡ଼ାକୁ ଯାଇଥିବା ରାସ୍ତା ଉପରେ ଦିନରାତି ଡ୍ରେନେଜ ପାଣି ପ୍ରବାହିତ ହେଉଛି। ଦୀର୍ଘଦିନରୁ ଏହି ସମସ୍ୟା ଲାଗି ରହିଛି, ମାତ୍ର ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ପ୍ରତିକାର କରାଯାଇ ନାହିଁ। ଏହାକୁ ନେଇ ପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାକୁ ନେଇ ବୁଧବାର ସ୍ଥାନୀୟ ଲୋକେ ଉକ୍ତ ରାସ୍ତାକୁ ଅବରୋଧ କରିଥିଲେ। ପରେ ପୌର ପରିଷଦ କାର୍ଯ୍ୟାଳୟର ଏକ ଗାଡ଼ି ସେଠାକୁ ପହଞ୍ଚି ଡ୍ରେନ ପାଣି ନିଷ୍କାସନ କରିଥିଲା। ମାତ୍ର ତାହା କ୍ଷଣସ୍ଥାୟୀ ଅଟେ। ଉକ୍ତ ରାସ୍ତାପାର୍ଶ୍ୱରେ ରହିଥିବା ଡ୍ରେନ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନାହିଁ। ଫଳରେ ସେଠାରେ ଡ୍ରେନେଜ୍‌ ପାଣି ଜମି ରହୁଛି। କେତେବେଳେ ଡ୍ରେନେଜ ପାଣି ରାସ୍ତାରେ ବହୁଛି ତ ଆଉ କେବେ କାହା ଘରକୁ ପଶୁଥିବା ଅଭିଯୋଗ ହେଉଛି। ଏଭଳି ସ୍ଥଳେ ରୋଗ ଜୀବାଣୁ ଉପଦ୍ରବ ହେଉଥିବା ଯୋଗୁ ସଂକ୍ରାମକ ରୋଗର ଆଶଙ୍କା ରହିଛି। ଫଳରେ ଏହାର ସ୍ଥାୟୀ ସମାଧାନ କରା ନଗଲେ ଆଗକୁ ସ୍ଥାନୀୟ ଲୋକେ ବଡ଼ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

 

Dharitri – Odisha’s No.1 Odia Daily