ଗଞ୍ଜାମ,୧୧ା୭(ବିଦ୍ୟାଧର ସାହୁ): ଦୀର୍ଘବର୍ଷ ହେବ ଗଞ୍ଜାମ ଏନ୍ଏସିରେ ଡ୍ରେନେଜ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ଜଣାପଡ଼ିଛି। ଯାହା ଫଳରେ ବର୍ଷାଦିନ ହେଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ। ବିଭିନ୍ନ ଓ୍ବାର୍ଡର ଡ୍ରେନେଜଗୁଡ଼ିକ ଠିକ୍ ନ ଥିବା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ। ଗତ ଦୁଇଦିନ ଧରି ଲଗାଣ ବର୍ଷା ହେବାରୁ ସହରର ବିଭିନ୍ନ ସ୍ଥାନରେ ଉକ୍ତ ବର୍ଷାଜଳ ଜମି ରହିଥିବା ଦେଖିବାକୁ ମିଳିଛି l ଦୀର୍ଘଦିନ ପର୍ଯ୍ୟନ୍ତ ବର୍ଷାଜଳ ଜମି ରହି ଅପ୍ରୀତିକାର ପରିସ୍ଥିତି ସୃଷ୍ଟି ହେବା ସହ ମଶାମାଛିଙ୍କ ଉପଦ୍ରବ ବୃଦ୍ଧି ପାଉଛି l ସ୍କୁଲ ଛାତ୍ରୀଛାତ୍ରଠାରୁ ଆରମ୍ଭ କରି ଜନସାଧାରଣ ସେହି ମଇଳା ପାଣିରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି l ବିଶେଷ କରି ପୁଇଁତୋଳା ନୂଆସାହିଠାରେ ବର୍ଷାଜଳ ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଉକ୍ତ ବର୍ଷାଜଳ ନିଷ୍କାସିତ ହେବା ଲାଗି କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ କେବଳ ଲଗାତର ଏକସପ୍ତାହରୁ ଊର୍ଦ୍ଧ୍ୱ ଖରା ହେଲେ ହିଁ ସେହି ବର୍ଷାଜଳ ଶୁଖିଥିବା ଜଣାପଡ଼ିଛି l ଏଥିସହ ସହରର ମୁଖ୍ୟ ଡ୍ରେନ୍ ସମସ୍ୟା ନ କହିଲେ ଭଲ।