ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରର ବିଭିନ୍ନ ସ୍ଥାନରେ ନର୍ଦ୍ଦମା ପାଣି ନିଷ୍କାସନ ତଥା ଡ୍ରେନେଜ ଅବ୍ୟବସ୍ଥା ଲାଗି ରହିଛି। ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ ୨ ଏବଂ ୱାର୍ଡ଼ ନଂ ୪ର ନିର୍ଭିର ଯୋଗ୍ୟ ସ୍ଥାନୀୟ ଲମ୍ବା ବିଲଡ଼ିଂରୁ ତଳିପଡ଼ାକୁ ଯାଇଥିବା ରାସ୍ତା ଉପରେ ଗତ କିଛିଦିନ ହେବ ଦିନରାତି ଡ୍ରେନେଜ ପାଣି ପ୍ରବାହିତ ହେଉଛି। ଦୀର୍ଘଦିନରୁ ଏହି ସମସ୍ୟା ଲାଗି ରହିଛି, ମାତ୍ର ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ପ୍ରତିକାର କରାଯାଇ ନାହିଁ। ଅଭିଯୋଗ କଲେ କେବଳ ପୌରପରିଷଦ ଗାଡି ଆଣି ନର୍ଦ୍ଦମା ପାଣିକୁ ସେଠାରୁ କାଢି ନିଆଯାଉଛି। ଫଳରେ ସମସ୍ୟା ସମାଧାନ ହୋଇପାରୁ ନାହିଁ। ଏହାକୁ ନେଇ ପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଶୁକ୍ରବାର ପଡାବାସୀ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ସେମାନେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ନୂତନ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ସେମାନେ ସ୍ମାରକପତ୍ରରେ ଦାବି କରିଥିଲେ। ଏ ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ସାହୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ପଡାବାସୀ ଜିଲାପାଳଙ୍କଠାରେ ଏଭଳି ଅଭିଯୋଗ କରିବାର କିଛି ସମୟ ପରେ ସମ୍ପୃକ୍ତ ପଡାକୁ ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ଏବଂ ପୌର ପରିଷଦ ନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ପହଞ୍ଚିଥିଲେ। ସେଠାରେ ଜମିଥିବା ନର୍ଦ୍ଦମା ପାଣିକୁ ପୌର ପରିଷଦ ଏକ ଗାଡିରେ କାଢି ନେଇଥିଲା ଏବଂ ନର୍ଦ୍ଦମା ପାଣି ଯେଭଳି ସେଠାରେ ଜମି ନ ରହିବ, ସେ ଦିଗରେ ଅସ୍ଥାୟୀ ପଦକ୍ଷେପ ନେଇଥିଲା। ତେବେ ଆସନ୍ତା ୧୫/୨୦ ଦିନ ପରେ ଉକ୍ତ ପଡାରେ ଲାଗି ରହିଥିବା ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ବିଧାୟକ ପଡାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।