ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ଡିପିଆର ପ୍ରସ୍ତୁତ

ଗଞ୍ଜାମ ,୧।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବାବା ବଟେଶ୍ୱର ପୀଠକୁ ଗତ ୨୪ ତାରିଖରେ ଜିଲାପାଳ ଭି କୀର୍ତ୍ତି ଭାସନ ପରିଦର୍ଶନ କରିଥିଲେ। ମନ୍ଦିର ଉନ୍ନତିକରଣ ପାଇଁ କ’ଣ କ’ଣ ସମସ୍ୟା ରହିଛି , ତାହାର ଡିପିଆର ପ୍ରସ୍ତୁତି ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ ସୋମବାର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ, ଯନ୍ତ୍ରୀ ସାଗରୀକା ପାଢ଼ୀ ପ୍ରମୁଖ ମନ୍ଦିର ପରିଚାଳନା କମିଟି ଉପସ୍ଥିତରେ କ’ଣ କ’ଣ ସମସ୍ୟା ରହିଛି, ଆଲୋଚନା କରିବା ସହ ସମୁଦ୍ର କୂଳର ସୌନ୍ଦର୍ଯ୍ୟ କରଣ, ପାର୍କର ଉନ୍ନତିକରଣ, ରାସ୍ତା ଘାଟ, ଯାତ୍ରା ପଡିଆ ଉନ୍ନତି କରଣ, ଭୋଗ ମଣ୍ଡପ ସୌନ୍ଦର୍ଯ୍ୟକରଣ ତଥା ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା କିଭଳି ହୋଇପାରିବ ସେନେଇ ଡିପିଆର ପ୍ରସ୍ତୁତି ପାଇଁ ଅନୁଧ୍ୟାନ କରିଥିଲେ। ପରିଚାଳନା କମିଟି ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଦିଲୀପ ଛୋଟରାୟ, କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ବାଇଁ, ଉପସଭାପତି ଶବର ତରାଇ, ସମ୍ପାଦକ ରଞ୍ଜିତ କୁମାର ପଲାଇ,ପବିତ୍ର ସ୍ବାଇଁ, ଶିବରାମ ପଲେଇ, କୋଷାଧ୍ୟକ୍ଷ ନିରାକାର ଜେନା, ଦୁର୍ଯ୍ୟୋଧନ ପ୍ରଧାନଙ୍କ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ଆଲୋଚନା କରିଥିଲେ। ସୂଚନା ଯୋଗ୍ୟ, ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ପୀଠ ନିକଟରେ ଥିବା ବଙ୍ଗୋପସାଗର ବେଳାଭୂମି ଓ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବୁଲିବା ପାଇଁ ଆସୁଥିବା ପର୍ଯ୍ୟଟକ କେମିତି ଅଧିକ ଆକୃଷ୍ଟ ହେବେ ,ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଜିଲାପାଳ ପରିଦର୍ଶନ ବେଳେ କହିଥିଲେ ।

Dharitri – The Largest & Most Trusted Odia Daily