ପଟ୍ଟାଙ୍ଗି,୧୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ କୁନ୍ଦୁଲି ସାପ୍ତାହିକ ହାଟସ୍ଥିତ କମ୍ୟୁନିଟି ହଲ୍ରେ ଦଣ୍ଡକାରଣ୍ୟ ପର୍ବତ ବିକାଶ ପରିଷଦ(ଡିପିବିପି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିପିବିପି ରାଜ୍ୟ ସଭାପତି ତଥା ପୂର୍ବତନ ଏମ୍ପି ଜୟରାମ ପାଙ୍ଗୀଙ୍କ ସଭାପତିତ୍ୱରେ ଓଡ଼ିଶା-ଆନ୍ଧ୍ରର ୬ ଜିଲାର ସଭାପତି ଓ ପରିଷଦର କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଠକରେ ଆନ୍ଧ୍ରର ପାଡେରୁ ଓ ପାର୍ବତୀପୁରମ୍ ମାନ୍ୟାମ ଜିଲା ସଭାପତିଙ୍କ ସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲା ସଭାପତି ଓ କର୍ମକର୍ତ୍ତା କୋଟିଆ ପଞ୍ଚାୟତରେ ଫେବୃଆରୀ ୪ରେ ଏକତ୍ର ହୋଇ ପଞ୍ଚାୟତର ବିବାଦ ସମାଧାନ ହେବା ନେଇ ବିସ୍ତୃତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବାକୁ ଜିଲା ସଭାପତି ଓ କର୍ମକର୍ତ୍ତାମାନଙ୍କୁ ସୂଚନା ଦିଆଯାଇଛି। ୧୯୬୧-୬୨ରୁ ଚାଲିଥିବା ଏହି ସୀମା ବିବାଦର ସମାଧାନ କରିବା ନେଇ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରୁ ନାହିଁ। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ରହିଛି। ଆନ୍ଧ୍ରରେ ମଧ୍ୟ ମିଳିତ ସରକାର ଥିଲେ ସୁଦ୍ଧା କୋଟିଆ ବିବାଦ ସମାଧାନ ହୋଇପାରୁ ନାହିଁ। ଏଥିଯୋଗୁ ଆଦିବାସୀମାନେ ନିର୍ଯାତିତ ହେବା ସହ ସରକାରଙ୍କ ଯୋଜନାରୁ ଠିକ୍ ସହାୟତା ପାଇ ପାରୁନାହାନ୍ତି। ଏହି ସ୍ଥିତିରେ ଦଣ୍ଡକାରଣ୍ୟ ପର୍ବତ ବିକାଶ ପରିଷଦ ଏହାର ସମାଧାନ ବାଟ ବାହାର କରିପାରିବ ବୋଲି ରାଜ୍ୟ ସଭାପତି ପାଙ୍ଗୀ କହିଛନ୍ତି। ୨ ରାଜ୍ୟର ୬୪ ବ୍ଲକ୍କୁ ନେଇ ସ୍ବତନ୍ତ୍ର ରାଜ୍ୟ ଗଠନ କରିବା ପରିଷଦର ମୂଳ ଲକ୍ଷ୍ୟ। ଏଥିପାଇଁ ଏକ ଦାବିପତ୍ର ପ୍ରସ୍ତୁତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କୋରାପୁଟ ଜିଲାପାଳଙ୍କୁ ପ୍ରଦାନ କରାଯିବ। ଏହାପରେ ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ପରିଷଦ ପକ୍ଷରୁ ଅନୁରୂପ ଦାବିପତ୍ର ପ୍ରଦାନ କରିବାକୁ ଆଲୋଚନା ହୋଇଥିଲା। ୨୦୧୧ ଜନଗଣନା ତଥ୍ୟ ଅନୁସାରେ ଏହି ୬ ଜିଲାରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ରହିଥିବାରୁ ସ୍ବତନ୍ତ୍ର ରାଜ୍ୟ ଗଠନ କରିବାରେ କୌଣସି ସମସ୍ୟା ନାହିଁ ବୋଲି ବୈଠକରେ କୁହାଯାଇଛି। ସ୍ବତନ୍ତ୍ର ରାଜ୍ୟ ଗଠନ ନ ହେବା ଯାଏ ଏହି ପରିଷଦର ସଂଗ୍ରାମ ଜାରି ରହିବ ବୋଲି କର୍ମକର୍ତ୍ତାଙ୍କୁ ବୁଝାଇଥିଲେ। କୋଟିଆ ପଞ୍ଚାୟତରେ ହେବାକୁ ଥିବା ସମାବେଶରେ ୬ ଜିଲାର ସମସ୍ତ ବ୍ଲକରୁ ସଭାପତି ଓ ଅନ୍ୟ କର୍ମକର୍ତ୍ତା ଯୋଗଦେଇପାରିବା ନେଇ ଜିଲା ସଭାପତିମାନେ ପଦକ୍ଷେପ ନେବାକୁ ଆହ୍ବାନ ଦେଇଥିଲେ। ବୈଠକରେ ରାଜ୍ୟ ସଙ୍ଗଠକ ରାଜୁ ନାୟକ, ମାଲକାନଗିରି ଜିଲାରୁ ଲଳିତ ମାଡକାମୀ, ସୋମନାଥ ଖରା, କୋରାପୁଟ ଜିଲା ଆଦିବାସୀ ସଭାପତି ରଞ୍ଜିତ ପାଙ୍ଗୀ, ରାଜ୍ୟ ଉପସଭାପତି ଚେଟି ଗଙ୍ଗାଧର ସ୍ବାମୀ ଓ ଅନେକ ପଦାଧିକାରୀ ଉପସ୍ଥିତ ଥିଲେ।