ଯୌତୁକ ପାଇଁ ବଧୂ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

ଦେବଗଡ଼,୨୫।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମଲାରବାହାଳ ଗ୍ରାମରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ବିଚାର କରି ଜିଲା ତଥା ଦୌରାଜଜ ଦେବାଶିଷ ରାଉତ ଅଭିଯୁକ୍ତ ସ୍ବାମୀ ଯୋଗେଶ୍ୱର ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଶାଶୁ ଏବଂ ଶ୍ୱଶୁରଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ସୂଚନା ଅନୁଯାୟୀ, ୨୦୧୭ ଏପ୍ରିଲ ୧୯ ତାରିଖ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ସିଆରିମାଳିଆ ଗ୍ରାମର ଲକ୍ଷ୍ମଣ ସାହୁଙ୍କ ଝିଅ ରଶ୍ମିତା ସାହୁ ମଲାରବାହାଳ ଗ୍ରାମର ବିନୋଦ ପ୍ରଧାନଙ୍କ ପୁଅ ଯୋଗେଶ୍ୱର ପ୍ରଧାନଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଅଧିକ ଯୌତୁକ ଦାବିରେ ରଶ୍ମିତାକୁ ଅଭିଯୁକ୍ତ ସାମୀ ଯୋଗେଶ୍ୱର ଏବଂ ତାଙ୍କ ଶାଶୁ ଓ ଶ୍ୱଶୁର ମାନସିକ ଶାରୀରିକ ର୍ନିୟ୍ୟାତନା ଦେଉଥିଲେ। ଏହି କ୍ରମରେ ୨୦୧୮ ଜୁଲାଇ ୧୭ରେ ରଶ୍ମିତାଙ୍କୁ ହତ୍ୟା କରିଥିବା ନେଇ କୁଣ୍ଢେଇଗୋଳା ଥାନାରେ ମୃତ ରଶ୍ମିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ କେସ ନମ୍ବର ୧୦୪/୧୮,ଦଫା ୩୦୨, ୪୯୮ (କ), ୩୦୪ (ଖ) ଆଇପିସି ଏବଂ ଯୌତୁକ ନିରୋଧ ଆଇନ ୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲେ ।

ଉକ୍ତ ମାମଲା ଜିଲା ତଥା ଦୌରାଜଜଙ୍କ ଅଦାଳତରେ ବିଚାରଧିନ ଥିବା ବେଳେ ଆଜିମାନ୍ୟବର ଅଦାଲତ ଏହାର ଶୁଣାଣି କରିଛନ୍ତି । ଦଫା ୩୦୨ ଅପରାଧ ପାଇଁ ଆଜୀବନ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡା ଦେଶ ଏବଂ ଜୋରିମାନା ଅନାଦାୟେ ତାଙ୍କୁ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସେହିପରି ଦଫା ୪୯୮ (କ) ଅନ୍ତର୍ଗତ ଅପରାଧ ପାଇଁ ତାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦାୟେ ତାଙ୍କୁ ୩ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦଫା ୩୦୪ (ଖ) ଅନ୍ତର୍ଗତ ଅପରାଧ ପାଇଁ ତାଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଥିବାବେଳେ ଜୋରିମାନା ଅନାଦାୟେ ତାଙ୍କୁ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ମାନ୍ୟବର ଅଦାଲତ ପ୍ରକାଶ କରିଛନ୍ତି। ଏଥିସହ ଯୌତୁକ ନିରୋଧ ଆଇନ ଦଫା ୪ ଅନୁଯାୟୀ ଅପରାଧ ପାଇଁ ତାଙ୍କୁ ୧ ବର୍ଷ ଜେଲଦଣ୍ଡ ଏବଂ ୧ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ତାଙ୍କୁ ୩ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ଉକ୍ତ କୁଣ୍ଢେଇଗୋଳା ଥାନାର ତତ୍କାଳୀନ ଇନସପେକ୍ଟର ରତ୍ନାକର ମଲ୍ଲିକ ଏବଂ ଏସଆଇ ବବିତା ଦେହୁରୀ ଉକ୍ତ ମାମଲାର ତଦନ୍ତ ଦାୟିତ୍ୱରେ ଥିଲେ। ସରକାରଙ୍କ ତରଫରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ଯୋଗେଶ୍ୱର ପାତ୍ର ମାମଲାର ପରିଚାଳନା କରୁଥିଲେ।