ଅମରପାଲି,୨୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଆଦର୍ଶ ଥାନା ଆଗରେ ଶାଶୁଘର ଲୋକେ ଯୌତୁକ ନିଯର୍ୟାତନା ଦେଉଥିବା ଅଭିଯୋଗ କରି ଜନୈକା ପୀଡ଼ିତା ମହିଳା ଶୁକ୍ରବାର ଧାରଣା ଦେଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ବୀରମହାରାଜପୁର ଥାନା ନିକଟସ୍ଥ ଚମ୍ପାପୁର ଗ୍ରାମର ଅନିତା ଅଗ୍ରୱାଲ ରୀତିନୀତି ଅନୁଯାୟୀ ସୁନ୍ଦରଗଡ଼ ଜିଲା ରାଉରକେଲା ବଙ୍ଗାଳୀପଡା ନଟବର ଗୋଏଲଙ୍କୁ ବିବାହ କରିଥିଲେ । ହେଲେ ବିବାହର କିଛି ବର୍ଷ ପରେ ଅନିତାଙ୍କ ଶାଶୁ ଘର ଲୋକେ ସମସ୍ତେ ମିଶି ତାଙ୍କୁ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଗତ ୨ ମାସରୁ ଊଦ୍ଧର୍ବ ସମୟ ହେଲା ସେ ବୀରମହାରାଜପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିବା ବେଳେ ଏ ନେଇ ପୋଲିସ ମାମଲା ରୁଜୁ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଦର୍ଶାଇ ଅନିତା ଶୁକ୍ରବାର ତିନିବର୍ଷର ଶିଶୁ ପୁତ୍ରକୁ ଧରି ଧାରଣାରେ ବସିଥିଲେ। ଅନିତା ଯାହାସବୁ ଯୌତୁକ ନେଇଥିଲେ ତାକୁ ଆଣିବା ପାଇଁ ଦଶହରା ପରେ ପୋଲିସ ରାଉରକେଲା ଯିବ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତୀଶ୍ରୁତି ମିଳିବା ପରେ ପୀଡ଼ିତା ଅନିତା ଧାରଣାରୁ ଓହରି ଥିବା ଜଣାପଡ଼ିଛି ।