କେନ୍ଦ୍ରକୁ ଡବଲ୍‌ ଝଟକା

ନୂଆଦିଲ୍ଲୀ,୨୨।୩:ଲୋକ ସଭା ନିର୍ବାଚନକୁ ମାସେରୁ କମ୍‌ ସମୟ ଥିବାବେଳେ ଗୁରୁବାର ଭାରତର ୨ ସର୍ବୋଚ୍ଚ ସାମ୍ବିଧାନିକ ସଂସ୍ଥା ସୁପ୍ରିମକୋର୍ଟ ଏବଂ ନିର୍ବାଚନ କମିଶନ (ଇସିଆଇ)ଙ୍କଠାରୁ କେନ୍ଦ୍ର ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ସରକାର ବିରୋଧୀ ଖବରକୁ ଚିହ୍ନଟ କରି ରୋକିବା ସକାଶେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଅଧୀନରେ ଫ୍ୟାକ୍ଟ ଚେକ୍‌ ୟୁନିଟ ପ୍ରତିଷ୍ଠା ପାଇଁ ଇଲେକ୍ଟ୍ରୋନିକ୍‌ ଏବଂ ଆଇଟି ମନ୍ତ୍ରଣାଳୟ ବୁଧବାର ବିଜ୍ଞପ୍ତି ଜାରି କରିଥିଲା। ଗୁରୁବାର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ନାଗରିକଙ୍କ ଅଭିବ୍ୟକ୍ତି ସ୍ବାଧୀନତା ପ୍ରଭାବିତ ହେବା ଦର୍ଶାଇ ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ସେହିପରି ନିର୍ବାଚନ ତାରିଖ ଘୋଷଣା ହେବା ସତ୍ତ୍ୱେ ଇଲେକ୍ଟ୍ରୋନିକ୍‌ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଲୋକଙ୍କ ମୋବାଇଲକୁ ହ୍ବାଟ୍ସଆପ୍‌ରେ ମେସେଜ୍‌ ପଠାଯାଉଥିଲା। ‘ବିକଶିତ ଭାରତ ସମ୍ପର୍କ’ ବ୍ୟାନରରେ କେନ୍ଦ୍ରୀୟ ଯୋଜନାର ସଫଳତା ବଖାଣୁଥିବା ହ୍ବାଟ୍ସଆପ୍‌ ବାର୍ତ୍ତା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଥିବା ଦର୍ଶାଇ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ଇସିଆଇଙ୍କ ଦ୍ୱାରସ୍ଥ ହୋଇଥିଲେ। ନିର୍ବାଚନ ଆୟୋଗ ଏହାକୁ ତତ୍କାଳ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।