ବେଙ୍ଗାଲୁରୁ,୧୭ା୮: ଆସନ୍ତା ମାସରେ ହେବାକୁ ଥିବା କାଫା ନେଶନ୍ସ କପ୍ ନ୍ୟାଶନାଲ କ୍ୟାମ୍ପ ଲାଗି ଘୋଷିତ ୩୫ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରୁ ଭେଟେରାନ ଷ୍ଟ୍ରାଇକର ସୁନୀଲ ଛେତ୍ରୀଙ୍କୁ ବାଦ୍ ଦିଆଯାଇଥିଲା। ଏ ସମ୍ପର୍କରେ ନବନିଯୁକ୍ତ ଭାରତୀୟ ଫୁଟ୍ବଲ ଦଳର ମୁଖ୍ୟ କୋଚ୍ ଖାଲିଦ ଜମିଲ ରବିବାର ସ୍ପଷ୍ଟୀକରଣ ରଖିଛନ୍ତି।
କ୍ୟାମ୍ପରେ ସାମିଲ କରାଯାଇ ନାହିଁ। କାରଣ ଆମେ ଏକ ଏଭଳି ଟୁର୍ନାମେଣ୍ଟ ଖେଳିବାକୁ ଯାଉଛୁ, ଯାହାକି ଆମକୁ ଏସିଆନ୍ କପ୍ କ୍ୱାଲିଫାୟର୍ସ ଲାଗି ଉପଯୁକ୍ତ ପ୍ରସ୍ତୁତି ଯୋଗାଇବ। ମୁଁ ଏହି ଫିଫା ଓ୍ବିଣ୍ଡୋରେ କିଛି ନୂଆ ଖେଳାଳିଙ୍କୁ ଟ୍ରାଏ କରିବାକୁ ଚାହୁଁଛି। ମୁଁ ଏ ସମ୍ପର୍କରେ ଛେତ୍ରୀଙ୍କ ସହ କଥା ହୋଇଥିଲି। ତାଙ୍କ ଭଳି ଖେଳାଳିଙ୍କୁ ଦଳରେ ପାଇବା ଖୁସିର ବିଷୟ।ତାଙ୍କ ଲାଗି ଜାତୀୟ ଦଳର ଦ୍ୱାର ସର୍ବଦା ଖୋଲା ଅଛି।
ସୁନୀଲ ଭାରତୀୟ ଫୁଟ୍ବଲର କିମ୍ବଦନ୍ତୀ। ମୁଁ ତାଙ୍କ ନେତୃତ୍ୱରେ ଖେଳିଛି। ମୁଁ ଅନେକ ଥର ତାଙ୍କ ଖେଳ ଦେଖିଛି। ସେ ମୋର ଅନ୍ୟତମ ଫେଭରାଇଟ୍ ଖେଳାଳି। ସେ ଭାରତୀୟ ଫୁଟ୍ବଲ ପାଇଁ ଜଣେ ରୋଲ ମଡେଲ’ ବୋଲି ଜମିଲ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍ଏଫ୍) ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କହିଛନ୍ତି।
ଏହାର ଅର୍ଥ ସିଙ୍ଗାପୋର ବିପକ୍ଷରେ ଅକ୍ଟୋବର ୯ ଓ ୧୪ ତାରିଖରେ ଖେଳାଯିବାକୁ ଥିବା ଏସିଆନ୍ କପ୍ କ୍ୱାଲିଫାଇଂ ମ୍ୟାଚ୍ରେ ଛେତ୍ରୀ ଖେଳିବେ। ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କାଫା ନେଶନ୍ସ କପ୍ ଲାଗି ଭାରତ ଗ୍ରୁପ୍-ବି’ରେ ସ୍ଥାନ ପାଇଛି। ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଯଥାକ୍ରମେ ସହ ଆୟୋଜକ ତାଜିକ୍ସ୍ତାନ (ଅଗଷ୍ଟ ୨୯), ଇରାନ (ସେପ୍ଟେମ୍ବର ୧) ଓ ଆଫଗାନିସ୍ତାନ (ସେପ୍ଟେମ୍ବର ୪)କୁ ଭେଟିବ। ସେପ୍ଟେମ୍ବର ୮ ତାରିଖରେ ତାସ୍କେଣ୍ଟ(ଉଜବେକିସ୍ତାନ)ଠାରେ ଫାଇନାଲ ମ୍ୟାଚ୍ ଖେଳାଯିବ।