IPhone ହୋଇଯିବ ମହଙ୍ଗା! ଭାରତରେ ଫ୍ୟାକ୍ଟ୍ରି ନିର୍ମାଣ ନ କରିବାକୁ Apple CEOଙ୍କୁ ପରାମର୍ଶ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୫।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲର ସିଇଓ ଟିମ କୁକଙ୍କୁ ଭାରତରେ ଆଇଫୋନ ଫ୍ୟାକ୍ଟ୍ରି ନିର୍ମାଣ ନ କରିବାକୁ ଅନୁରୋଧ କରିଛନ୍ତି। ଭାରତ ପାଇଁ ଆପଲର ଏକ ବଡ଼ ଯୋଜନା ଅଛି। କମ୍ପାନୀ ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତରେ ବହୁ ସଂଖ୍ୟକ ଆଇଫୋନ ଉତ୍ପାଦନ କରିବାକୁ ଚାହୁଁଛି। ଏହାପୂର୍ବରୁ ଟ୍ରମ୍ପ ସବୁ ବିଗାଡି ଦେଇଛନ୍ତି।

ଟ୍ରମ୍ପ ଏବେ କତାର ଗସ୍ତରେ ଅଛନ୍ତି। ଟ୍ରମ୍ପ ଆପଲର ସିଇଓଙ୍କ ସହ ଭାରତର ପ୍ଲାଣ୍ଟ ବିଷୟରେ କଥା ହୋଇଥିଲେ। ସେ କହିଥିଲେ, ଟିମ କୁକଙ୍କ ସହିତ ମୋର ଏକ ଛୋଟ ସମସ୍ୟା ଅଛି। ସେ ଭାରତରେ ଆଇଫୋନ ଫ୍ୟାକ୍ଟ୍ରି ନିର୍ମାଣ କରିବାକୁ ଚାହାଁନ୍ତି ଏବଂ ମୁଁ ତାହା ଚାହେଁ ନାହିଁ। ଆପଲ କେବଳ ଆମେରିକାରେ ଏହାର ଫୋନ ତିଆରି କରିବା ଉଚିତ। ଭାରତ ନିଜ କଥା ବୁଝିପାରିବ।

ଆପଲ ଚାଇନାରେ ବିପୁଳ ପରିମାଣରେ ଆଇଫୋନ ନିର୍ମାଣ କରୁଥିଲା, କିନ୍ତୁ ଏବେ ଏହା ଚାଇନାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି। ଟ୍ରମ୍ପ ଚାଇନା ଉପରେ ଭାରୀ ଟାରିଫ୍‌ ଲାଗୁ କରିଥିଲେ। ଜବାବରେ ଚାଇନା ମଧ୍ୟ ଏହା ଉପରେ ଟାରିଫ୍‌ ଲାଗୁ କରିଥିଲା। ଆପଲ ଟାରିଫ୍‌ ଯୁଦ୍ଧରେ ଫସିଯାଇଥିଲା ଏବଂ ଚାଇନା ଛାଡିବାକୁ ନିଷ୍ପତ୍ତି ନେଇଥିଲା। ଚାଇନା ପରେ ଭାରତୀୟ ମାକେର୍ଟ୍‌ରେ ଆପଲ୍‌ ତାର ବିକ୍ରି ବଢାଇବାକୁ ଚାହୁଁଥିଲା, କିନ୍ତୁ ଏବେ ଏହା ଉପରେ ମଧ୍ୟ ବିପଦ ମାଡି ଆସୁଥିବା ପରି ମନେ ହେଉଛି।

ଯଦି ଆପଲ ଏହାର ଆସେମ୍ବଲି ୟୁନିଟ ଭାରତକୁ ସ୍ଥାନାନ୍ତର କରେ, ତେବେ ୨୦୨୬ରୁ ପ୍ରତିବର୍ଷ ଏଠାରେ ୬କୋଟିରୁ ଅଧିକ ଆଇଫୋନ ଉତ୍ପାଦନ ହେବ। ଏହା ବର୍ତ୍ତମାନର କ୍ଷମତାର ଦୁଇଗୁଣରୁ ଅଧିକ ହେବ।

Share