ଅତାବିରା /ଗୋଡ଼ଭଗା, ୧୩ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ):ବରଗଡ଼ ଜିଲା ଅତାବିରା ଆର୍ଏମସି ଅଧୀନରେ ଥିବା ମଣ୍ଡି ଗୁଡିକରେ ଦିନକୁ ଦିନ ଧାନ ପଡିରହିବାର ପରିମାଣ ବଢିବାକୁ ଲାଗିଛି। ନଭେମ୍ବର ୨୮ରୁ ମାର୍କେଟ ଖୋଲିଥିଲେ ବି ଚଳିତ ମାସ ୨ ତାରିଖ ରାତ୍ରିରେ ପ୍ରଥମ ଥର ଖରିଫ ଧାନ ଗୋଡ଼ଭଗା ମଣ୍ଡିରୁ ଉଠିଥିଲା l ତେବେ ଧାନ ଉଠାଣରେ ମନ୍ଥରତା ଲଗାତାର ରହି ଆସୁଛି l ଯେଉଁଭଳି ମଣ୍ଡିକୁ ଧାନ ଆସୁଛି ସେହି ଅନୁପାତରେ ଧାନ ଉଠୁ ନ ଥିବାରୁ ମଣ୍ଡି ଗୁଡିକରେ ଧାନ ଭର୍ତ୍ତି ହୋଇ ଗଲାଣି l ଖରିଫ ଧାନ କିଣାବିକାର ୧୫ ଦିନରେ ୨ଲକ୍ଷ ୨୮ହଜାର ୩୮୯ ପ୍ୟାକେଟ ଧାନ ଉଠିଥିବା ବେଳେ ୩ଲକ୍ଷ ୫୫ ହଜାର ୨୭୩ରୁ ଊର୍ଦ୍ଧ୍ୱ ପ୍ୟାକେଟ ଧାନ ବିଭିନ୍ନ ମଣ୍ଡିରେ ପଡ଼ି ରହିଛି। ଯାହାକି ଚାଷୀଙ୍କୁ ଚିନ୍ତାରେ ପକାଇଛି। ଏହାକୁ ନେଇ ବିଭିନ୍ନ ମଣ୍ଡିରେ ଉତ୍ତେଜନା ଲାଗି ରହିଛି। ଯାହାର ପ୍ରତିଫଳନ ସ୍ବରୂପ ଚାଷୀ ଗତ ୯ ତାରିଖ ବରଗଡ଼ ଜିଲା ଅତାବିରା ବ୍ଲକ ଅଧିନ ଗୋଡ଼ଭଗା ମଣ୍ଡି ସମ୍ମୁଖରେ ସମ୍ବଲପୁର – ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଥିଲେ l
ସରକାରୀ ସୂଚନା ମୁତାବକ, ଶୁକ୍ରବାର ଅତାବିରା ଆରଏମସି ଅଧୀନ ବିଭିନ୍ନ ମଣ୍ଡିକୁ ୮୮ ହଜାର ୬୩ ପ୍ୟାକେଟ ଧାନ ଆସିଥିବା ବେଳେ ୬୧୧ ଜଣ ଚାଷୀଙ୍କ ମାତ୍ର ୭୪ ହଜାର ୧୮୧ ପ୍ୟାକେଟ ଧାନ ଉଠିଛି। ମଣ୍ଡି ଖୋଲିବାର ୧୫ ଦିନ ମଧ୍ୟରେ ୫ ଲକ୍ଷ ୮୩ ହଜାର ୬୬୨ ପ୍ୟାକେଟ ଧାନ ଆସିଥିବା ବେଳେ ମୋଟ ୧୮୪୧ ଜଣ ଚାଷୀଙ୍କ ମାତ୍ର ୨ଲକ୍ଷ ୨୮ହଜାର ୩୮୯ ପ୍ୟାକେଟ ଧାନ ବିକ୍ରି ହୋଇଛି। ଫଳରେ ଅତାବିରା ଆର୍ଏମ୍ସି ଅଧୀନ ବିଭିନ୍ନ ମଣ୍ଡିରେ ଶୁକ୍ରବାର ବଜାର ବନ୍ଦ ହେବା ବେଳକୁ ୩ଲକ୍ଷ ୫୫ ହଜାର ୨୭୩ ପ୍ୟାକେଟ ଧାନ ପଡ଼ି ରହିଛି। ଦିନକୁ ଦିନ ମଣ୍ଡିରେ ବଢ଼ି ଚାଲିଥିବା ଧାନ ପରିମାଣକୁ ଦେଖି ସରକାର ଓ ସ୍ଥାନୀୟ ପ୍ରଶାସନ ବିହିତ ପଦକ୍ଷେପ ନେଇ ଶୀଘ୍ର ଧାନ କିଣିବାର ବ୍ୟବସ୍ଥା କରିବାକୁ ଦାବି ହେଉଛି l ତା’ନ ହେଲେ ପୁଣି ଏକ ବଡ଼ ଧରଣର ଚାଷୀ ଆନ୍ଦୋଳନ ହେବ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି।