ଟିଭି ପାଖରେ ରଖନ୍ତୁ ନାହିଁ ଏସବୁ ଜିନିଷ: ନଚେତ୍‌…

ପରିବାର ସହ ଏକାଠି ସମୟ କଟାଇବା ସହ ମନୋରଞ୍ଜନର ମାଧ୍ୟମ ଭାବରେ ପ୍ରାୟ ସମସ୍ତଙ୍କ ଘରେ ରହିଥାଏ ଟିଭି। ହେଲେ ଅଜାଣତରେ ବେଳେବେଳେ ଆମେ ଟିଭି ପାଖରେ ଏଭଳି କିଛି ଜିନିଷ ରଖିଦେଇଥାଉ, ଯାହା ଖରାପ ପ୍ରଭାବ ପକାଇଥାଏ। ତେଣୁ ଟିଭି ପାଖରେ କେଉଁ ସବୁ ଜିନିଷ ରଖିବେ ନାହିଁ ଜାଣିରଖନ୍ତୁ।

ଟିଭି ପାଖରେ ପାଣି ବୋତଲ କିମ୍ବା କୌଣସି ତରଳ ପଦାର୍ଥ ଅଥବା ଫୁଲଦାନୀ ରଖନ୍ତୁ ନାହିଁ। ଟିଭି ସ୍କ୍ରିନ୍‌ ଓ ଏହା ପଛପଟରେ ଥିବା ସର୍କିଟ୍‌ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ। ଭୁଲ୍‌ରେ ବି ଏଥିରେ ପାଣି ପଡ଼ିଗଲେ ଟିଭିର ମଦରବୋର୍ଡ ଖରାପ ହୋଇଯାଇଥାଏ।
ମୋବାଇଲ ଚାର୍ଜର, ସେଟ୍‌-ଟପ୍‌-ବକ୍ସ, ସ୍ପିକର, ଇଲେକ୍ଟ୍ରିକ୍‌ ଖେଳନା ଆଦି ଟିଭି ପାଖରେ ରଖନ୍ତୁ ନାହିଁ। ଏହିସବୁ ଗ୍ୟାଜେଟ୍‌ରୁ ବାହାରୁଥିବା ଇଲେକ୍ଟ୍ରିକ୍‌ ସିଗ୍‌ନାଲ ଟିଭିର ଏଲ୍‌ଇଡି କିମ୍ବା ଏଲ୍‌ସିଡିକୁ ଖରାପ କରିଦେଇଥାଏ। ଟିଭିକୁ ସମ୍ପୂର୍ଣ୍ଣଭାବେ ଅଲଗାକରି ସଂଯୁକ୍ତ କରନ୍ତୁ। ସମସ୍ତ ବୈଦୁତିକ ଡିଭାଇସ୍‌ ଦୂରେଇ ରଖନ୍ତୁ।
ଏୟାର ଫ୍ରେଶନର କିମ୍ବା ପରଫ୍ୟୁମ ମଧ୍ୟ ଟିଭି ପାଖରେ ରଖନ୍ତୁ ନାହିଁ କି ସ୍ପ୍ରେ କରନ୍ତୁ ନାହିଁ। ଏଥିରେ ଥିବା କେମିକାଲ ସବୁ ଟିଭି ସ୍କ୍ରିନ୍‌ କିମ୍ବା ଭେଣ୍ଟିଲେଶନ ସ୍ଲଟ୍‌ରେ ଜମିଯାଏ। ଫଳରେ କିଛିଦିନ ପରେ ଟିଭିରେ ମଇଳା ଜମି ରଙ୍ଗ ଖରାପ ହୋଇଯାଏ।
ଉତ୍ସବ ସମୟରେ ଘର ସଜାଉଥିଲେ ଟିଭି ପାଖରେ କୌଣସି ଦୀପ କିମ୍ବା ମହମବତି ଲଗାନ୍ତୁ ନାହିଁ। ଏହାର ଉତ୍ତାପ ପ୍ରଭାବରେ ଟିଭି ସ୍କ୍ରିନ୍‌ରେ ମାଇକ୍ରୋ କ୍ରାକ୍‌ ଆସିପାରେ। ଉତ୍ତାପ ଅଧିକ ହେଲେ ଟିଭି ପୋଡ଼ିଯିବାର ମଧ୍ୟ ଆଶଙ୍କା ରହିଥାଏ।
ଟିଭି ପାଖରେ କୌଣସି ଚୁମ୍ବକୀୟ ପଦାର୍ଥ ରହିଲେ ତାହା ଟିଭି ସ୍କ୍ରିନ୍‌ର ପିକ୍ସେଲକୁ ଖରାପ କରିଥାଏ। ଫଳରେ ରଙ୍ଗ ଖରାପ ହୋଇଥାଏ ଓ ସ୍କ୍ରିନ୍‌ ଉପରେ ଦାଗ ପଡ଼ିଯାଏ।

 

Dharitri – Odisha’s No.1 Odia Daily