ଚାଇନା ପାଇଁ ଭାରତ-ରୁଷିଆକୁ ହରାଇଲୁ…ବାଉଳା ହୋଇ ଏଭଳି ବୟାନ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ,୫।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ରୁଷିଆର ସମ୍ପର୍କକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଚାଇନାକୁ ଟାର୍ଗେଟ କରି କହିଛନ୍ତି ଯେ,ଚାଇନା ହାତରେ ଭାରତ ଓ ରୁଷିଆକୁ ହରାଇ ଦେଇଛୁ। ଚାଇନା ପାଇଁ ଭାରତ ସହ ଆମେରିକାର ସମ୍ପର୍କ ଖରାପ ହୋଇଛି। ତେବେ ଟ୍ରମ୍ପ ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଥିଲେ, ଯାହାକୁ ନେଇ ଉଭୟ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଶାଙ୍ଘାଇ ସହଯୋଗ ସଂଗଠନ (SCO) ବୈଠକରେ ଭାରତ,ଚାଇନା ଓ ରୁଷିଆର ଏକତା ଦେଖି ଆମେରିକା ବିଚଳିତ ହୋଇଛି।
ଟ୍ରମ୍ପ ଦାବି କରିଛନ୍ତି ଯେ ନୂଆଦିଲ୍ଲୀ ଆମେରିକା ଉପରେ ବିଶ୍ୱର ସର୍ବାଧିକ ଟାରିଫ ଲଗାଉଛି, ଯାହା ଦ୍ୱାରା ଏକ ଅସନ୍ତୁଳିତ ବାଣିଜ୍ୟ ପରିସ୍ଥିତି ସୃଷ୍ଟି ହେଉଛି। ସେ କହିଛନ୍ତି, ଭାରତ ଆମେରିକାରୁ ବହୁତ କମ ବ୍ୟବସାୟ କରୁଛି, କିନ୍ତୁ ଆମେରିକାକୁ ପ୍ରଚୁର ପରିମାଣରେ ପଣ୍ୟ ବିକ୍ରୟ କରୁଛି। ଭାରତ ଆମେରିକାରୁ ଅଳ୍ପ କିଣୁଛି, କିନ୍ତୁ ଆମେ ତାଙ୍କର ସବୁଠାରୁ ବଡ଼ ଗ୍ରାହକ। ଟ୍ରମ୍ପ ଆହୁରି ଅଭିଯୋଗ କରିଛନ୍ତି ଯେ, ଭାରତ ଆମେରିକୀୟ ପଣ୍ୟ ଉପରେ ଉଚ୍ଚ ଟାରିଫ (୧୦୦% ପର୍ଯ୍ୟନ୍ତ) ଲଗାଉଛି, ଯାହା ଦ୍ୱାରା ଆମେରିକୀୟ ବ୍ୟବସାୟୀମାନେ ଭାରତୀୟ ବଜାରରେ ପ୍ରବେଶ କରିପାରୁ ନାହାନ୍ତି। ସେ ଦାବି କରିଛନ୍ତି ଯେ, ଭାରତ ଏବେ ଟାରିଫ ଶୂନ୍ୟକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି, କିନ୍ତୁ ଏବେ ବହୁତ ଡେରି ହୋଇଗଲାଣି।
ଟ୍ରମ୍ପ କହିଛନ୍ତି ଯେ, ଭାରତ ରୁଷିଆରୁ ପ୍ରଚୁର ପରିମାଣରେ କଚ୍ଚା ତୈଳ ଏବଂ ପ୍ରତିରକ୍ଷା ସାମଗ୍ରୀ କିଣୁଛି, ଯାହା ୟୁକ୍ରେନ ବିରୁଦ୍ଧରେ ରୁଷିଆର ଯୁଦ୍ଧକୁ ସମର୍ଥନ କରୁଛି। ଏହି କାରଣରୁ ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ‘ସେକେଣ୍ଡାରୀ’ ଟାରିଫ ଲଗାଇଛି, ଯାହା ସମୁଦାୟ ଟାରିଫକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି। ଭାରତ ଏହି ଟାରିଫକୁ ଅନ୍ୟାୟ, ଅଯୌକ୍ତିକ ଏବଂ ଅଗ୍ରହଣୀୟ ବୋଲି ବିରୋଧ କରିଛି, କାରଣ ଏହା ଦେଶର ଶକ୍ତି ଆବଶ୍ୟକତା ପୂରଣ ପାଇଁ ରୁଷିଆ ତୈଳ କ୍ରୟ ଆବଶ୍ୟକ ବୋଲି ଦାବି କରିଛି।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଟ୍ରମ୍ପଙ୍କ ବୟାନ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି, ଏହି ପୋଷ୍ଟ ଉପରେ ମୋର କୌଣସି ମନ୍ତବ୍ୟ ନାହିଁ। ଭାରତ ସ୍ପଷ୍ଟ କରିଛି ଯେ, ସେ କୌଣସି ଦେଶର ରାଜନୈତିକ ନିଷ୍ପତ୍ତିରେ ହସ୍ତକ୍ଷେପ କରେ ନାହିଁ ଏବଂ ନିଜର ଜାତୀୟ ସ୍ବାର୍ଥକୁ କେବେ ବି ଆପୋଷ କରିବ ନାହିଁ।