ଓ୍ବାଶିଂଟନ୍,୨୧।୧: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ପୁଣି ଶପଥ ନେଇଛନ୍ତି। ସେ ତାଙ୍କ ବକ୍ତବ୍ୟରେ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ମଧ୍ୟ ଦେଇଛନ୍ତି। ଆତଙ୍କବାଦୀ ସଂଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଇଙ୍ଗିତ ଦେଇଛନ୍ତି। ସେ କହିଛନ୍ତି, ଆମେରିକା ଏବେ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କୁ ମଧ୍ୟ ଆତଙ୍କବାଦୀର ମାନ୍ୟତା ଦେବ ଏବଂ ଯେକୌଣସି ଦେଶକୁ ମାଗଣା ସାହାଯ୍ୟ ଦେବା ନୀତିକୁ ସମାପ୍ତ କରିବ। ଏହି ବିବୃତ୍ତି ପାକିସ୍ତାନକୁ ଦିଆଯାଇଥିବା ଅଣ-ନାଟୋ ସହଯୋଗୀର ମାନ୍ୟତା ଉପରେ ଆମେରିକାର ପୁନଃବିଚାରକୁ ସୂଚିତ କରୁଛି।
ବର୍ଷ ବର୍ଷ ଧରି, ଆମେରିକା ପାକିସ୍ତାନକୁ ଏକ ଅଣ-ନାଟୋ ସହଯୋଗୀର ମାନ୍ୟତା ଦେଇଆସିଛି, ଯାହା ବଦଳରେ ପାକିସ୍ତାନ ପ୍ରତିବର୍ଷ କୋଟି କୋଟି ଡଲାରର ଆର୍ଥିକ ସହାୟତା ପାଇ ଆସୁଛି। ଟ୍ରମ୍ପଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଯେ, ସେ ଏହି ସ୍ବତନ୍ତ୍ର ମାନ୍ୟତାକୁ ସମାପ୍ତ କରିବାକୁ ବିଚାର କରୁଛନ୍ତି। ପୂର୍ବରୁ ଟ୍ରମ୍ପ ପ୍ରଶାସନର ଜଣେ ସହାୟକ ମଧ୍ୟ ଏହି ଦିଗରେ ସଙ୍କେତ ଦେଇଥିଲେ।
ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସରକାର ଆତଙ୍କବାଦୀ ସଂଗଠନ ଏବଂ ଡ୍ରଗ୍ସ ଚୋରାଚାଲାଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେ ନିଶା ଚୋରା ଚାଲାଣକାରୀଙ୍କୁ ଆତଙ୍କବାଦୀଙ୍କ ଭଳି ସମାନ ମାନ୍ୟତା ଦେବା ବିଷୟରେ କହିଥିଲେ, ଯାହା ଦାରା ସେମାନଙ୍କ ବିରୁଦ୍ଧରେ କଠୋର ପ୍ରତିବନ୍ଧକ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ଯଦି ଆମେରିକା ପାକିସ୍ତାନର ଅଣ-ନାଟୋ ସହଯୋଗୀ ମାନ୍ୟତା ସମାପ୍ତ କରେ, ତେବେ ପାକିସ୍ତାନକୁ କୋଟି କୋଟି ଡଲାରର ଆମେରିକୀୟ ସହାୟତା ବନ୍ଦ ହୋଇପାରେ। ଏହା ପୂର୍ବରୁ ଆର୍ଥିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପାକିସ୍ତାନର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇପାରେ। ଟ୍ରମ୍ପଙ୍କ ଏହି ବୟାନ ପାକିସ୍ତାନରେ ଚିନ୍ତା ବଢ଼ାଇ ଦେଇଛି, କାରଣ ଏହା ମୁଖ୍ୟତଃ ଆମେରିକୀୟ ସହାୟତା ଉପରେ ନିର୍ଭରଶୀଳ।