ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଅବାଧରେ ଦିନ ରାତି ରାସ୍ତାରେ ବୁଲୁଥିବା ଗୃହପାଳିତ ପ୍ରାଣୀ (ଗାଈ, ଗୋରୁ, କୁକୁର, ଘୁଷୁରୀ, ମାଙ୍କଡ) ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ସମୟରେ ବିପଦର କାରଣ ହେଉଛନ୍ତି। ଏଥିସହ ଦୈନନ୍ଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି।
ତେଣୁ ଉକ୍ତ ପ୍ରାଣୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସାଧାରଣରେ ଦାବି ହେଉଛି। ଲୋକେ ଗାଈର କ୍ଷୀର ଦୂଇଁବା ପରେ ବଜାରକୁ ଛାଡ଼ି ଦେଉଛନ୍ତି। ଉକ୍ତ ଗାଈ ସହ ସେମାନଙ୍କ ବାଛୁରୀ ମଧ୍ୟ ବଜାରକୁ ଚାଲିଯାଉଛନ୍ତି। ଏଣେତେଣେ ଘୁରି ବୁଲିବା ସହ ମୁଖ୍ୟ ରାସ୍ତାରେ ଘଣ୍ଟାଘଣ୍ଟା ଶୋଇ ରହୁଛନ୍ତି। ଏହି ସମୟରେ ଯାନବାହନ ଦୁର୍ଘଟଣା ଘଟୁଛି। ତେଣୁ ସହରରେ ଅବାଧରେ ଘୁରି ବୁଲୁଥିବା ଗୃହପାଳିତ ପ୍ରାଣୀଙ୍କୁ ତୁରନ୍ତ ହଟାଇବା ପାଇଁ ପରିବେଶ ପ୍ରେମୀ ତଥା ଅବସରପ୍ରାପ୍ତ ବନ କର୍ମଚାରୀ ରମେଶ ପାତ୍ର ଦାବି କରିଛନ୍ତି। ଏନେଇ ଏନଏସି ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଟ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଏନେଇ ଖୁବ ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ।