ଗାଁ ଗାଁରେ ବିକ୍ରି ହେଉଛି ଦେଶୀ-ବିଦେଶୀ ମଦ: ନୀରବଦ୍ରଷ୍ଟା ସାଜିଛି ଅବକାରୀ ବିଭାଗ

ଅମରପାଲି,୨୨/୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳରେ ବ୍ୟାପକ ଦେଶୀ ବିଦେଶୀ ମଦ ବିକ୍ରି ହେଉଛି। ଅବକାରୀ ବିଭାଗ ସବୁ ଜାଣି ଚୁପ ରହୁଛି। ଫଳରେ ମଦ୍ୟପଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ବ୍ଲକର ଉପାନ୍ତ ଲୁତୁରପଙ୍କ ଓ ବହଳପଦର ପଞ୍ଚାୟତର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ଲୁତୁରପଙ୍କର ଗୁହିରା ଛକ, କୋହ୍ଲପଡା ଛକ,ଘିଚାପାଲି ସ୍ଥିତ ମେଟାକାନି ଛକ, ଲୁତୁରପଙ୍କ ପଞ୍ଚାୟତ ନିକଟ,ବହଳପଦର ଗ୍ରାମର ଗଣ୍ଡ ସାହି, କେନଝିରିଆପାଲି ପଞ୍ଚାୟତର ବଳିପାଲି ଗ୍ରାମରେ ବେଧଡକ ଭାବେ ବେଆଇନ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି।

ଉକ୍ତ ସ୍ଥାନଗୁଡ଼ିକରେ ବିକ୍ରି ହେଉଥିବା ବିଦେଶୀ ମଦ ସବୁ ସ୍ଥାନୀୟ ଅଞ୍ଚଳରେ ଅସଲି ବୋତଲ ରେ ନକଲି ମଦ ପ୍ରସ୍ତୁତ କରାଯାଉଛି। ଏହା ସହିତ ଉପାନ୍ତ ଜଙ୍ଗଲରେ ଭାଟି ପ୍ରସ୍ତୁତି କରି ଦେଶୀ ମଦ ପ୍ରସ୍ତୁତି କରାଯାଉଛି। ଦେଶୀ ମଦ ରେ ଅତ୍ୟଧିକ ନିଶା ପାଇଁ ୟୁରିଆ ସାରା, ସୁଲେସନ ଓ ଅନ୍ୟ ବାଟିକା ଓ ବିଦେଶୀ ମଦରେ ସ୍ପିରିଟ ଭଳି ବିଷାକ୍ତ ପଦାର୍ଥ ବ୍ୟବହାର କରାଯାଉଛି। ଫଳରେ ଏହି ମଦ ପିଇ ଲୋକେ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ମଦ ପିଇ ମଦ୍ୟପ ମାନେ ଅନେକ ସମୟୀ ଗାଁ ଗାଁରେ ଗଣ୍ଡଗୋଳ କରୁଥିବା ଦେଖିବାକୁ ମିଳୁଛି।

ଲୁତୁରପଙ୍କ ଗୁହୀରା ଛକ, କୋହ୍ଲପଡା ଛକ, ମେଟାକାନି ଛକରେ ମଦ୍ୟପମାନେ ରାସ୍ତା ଉପରେ ଆଡ୍ଡା ଜମାଇ ଆତଙ୍କ ଖେଳାଉଛନ୍ତି। ସ୍କୁଲ କଲେଜ ଯାଉଥିବା ଛାତ୍ରୀମାନେ ଓ ଉକ୍ତ ରାସ୍ତା ଦେଇ ଯାଉଥିବା ମହିଳାମାନେ ଅନେକ ସମୟରେ ଏହି ରାସ୍ତାରେ ଯିବା ଆସିବାବେଳେ ଅସୁରକ୍ଷିତ ଅନୁଭବ କରୁଛନ୍ତି।
ସୂଚନାଯୋଗ୍ୟ, ଉପାନ୍ତ ବହଳପଦର ପଞ୍ଚାୟତର ଅମରପାଲି, ଗୌଡଗାଡ, ଗୁଦଗୁଦା, କେନ୍ଦୁପାଲ, ଦୁର୍ଜନତୈଲା ପଞ୍ଚାୟତ ର ମାଳିଦାଦର, ଦାଦରପାଲି, ଦୁର୍ଜନତୈଲା, ମସିଣାପାଲି, କେନଝିରିଆପାଲି ପଞ୍ଚାୟତର ତେଲିପାଲି ଆଦି ଗ୍ରାମରେ ଗ୍ରାମର ମହିଳା ମାନେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିଥିବା ବେଳେ ଏବେ ପ୍ରାୟ ସବୁ ମଦ୍ୟପ ମଦ ପାଇଁ ଲୁତୁରପଙ୍କ ଗୋହିରା ଛକ, କୋହ୍ଲପଡା ଛକ, ମେଟାକାନି ଛକ ରେ ଆଡ୍ଡା ଜମାଉଛନ୍ତି। ଏନେଇ ଅବକାରୀ ବିଭାଗକୁ ଲୋକେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି। ଅଞ୍ଚଳରେ ମଦ ବିକ୍ରି ହେଉଥିବାରୁ ସାଧାରଣ ଲୋକେ ଅତିଷ୍ଠ ହୋଇ ପଡିଲେଣି। କେତେବେଳେ କେମିତି ନାମକୁ ମାତ୍ର ବୀରମହାରାଜପୁର ଓ ସୁବଳୟା ଥାନା ଏବଂ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରିଛି। ପ୍ରାୟ ଅଧିକାଂଶ ସମୟରେ ଚଡାଉ କରି ଯେଉଁ ମଦ ବ୍ୟବସାୟୀଙ୍କୁ ଧରୁଛି ନାଁକୁ ମାତ୍ର ଏକ ଫାଇନ କରି ଛାଡି ଦେଉଥିବା ଅଭିଯୋଗ ହେଉଛି। ଆହୁରି ମଧ୍ୟ ଏହି ଉପାନ୍ତ ଅଞ୍ଚଳରେ ଦେଶୀ ବିଦେଶୀ ମଦ ପ୍ରସ୍ତୁତି କରି ବିଭିନ୍ନ ଅଞ୍ଚଳକୁ ପଠାଯାଇଛି।
ଏନେଇ ବୀରମହାରାଜପୁର ଅବକାରୀ ଏସଆଇ ଭରତ ମିଶ୍ରଙ୍କୁ ପଚାରିବାରୁ ସେ ଫୋନରେ କୌଣସି ମତାମତ ଦେବାକୁ ମନା କରିଦେଇଥିଲେ। ଏନେଇ ସୁବର୍ଣ୍ଣପୁର ଜିଲା ଅବକାରୀ ଅଧିକ୍ଷକ ପ୍ରବୀର ସାମଲଙ୍କୁ ପଚାରିବାରୁ ଆବଶ୍ୟକୀୟଠୁ କମ କର୍ମଚାରୀ ଥିବାରୁ ଅନେକ ସମୟର ସମସ୍ୟା ହେଉଥିବା କହିବା ସହିତ ଯେଉଁ ଅଞ୍ଚଳରେ ମଦ ବିକ୍ରି ହେଉଛି ଆମେ ରେଡ କରିବୁ ବୋଲି କହିଥିଲେ। ତେବେ ଉକ୍ତ ଅଞ୍ଚଳରେ ମଦ ବିକ୍ରି ବନ୍ଦ କରିବା ର ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବୀ ହେଉଛି।