କୁକୁରକୁ ଗୁଳି କରି ହତ୍ୟା

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଗରେ ମଣିଷ କିଭଳି ଭାବେ ଅମାନବୀୟ କାଣ୍ଡ ଭିଆଇପାରେ ତା’ର ଏକ ଉଦାହରଣ ବୁଧବାର ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ। ପୋଷିଥିବା କୁକୁଡ଼ାକୁ କୁକୁର କାମୁଡ଼ି ମାରିଦେବାରୁ ଏଥିରେ ରାଗିଯାଇ କିତାବ ପଟ୍ଟନାୟକ(୪୫) ନାମକ ଜଣେ ବ୍ୟକ୍ତି ୨ଟି କୁକୁରଙ୍କୁ ଗୁଳି କରିଛନ୍ତି। ଏଥିରେ ଗୋଟିଏ କୁକୁରର ମୃତ୍ୟୁ ଘଟିଥିବାବେଳେ ଅନ୍ୟଟିକୁ ଗୁରୁତର ଅବସ୍ଥାରେ ଫରେଷ୍ଟ ପାର୍କ ନିକଟ ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏନେଇ ସେବା ହିଁ ସଂଳ୍ପକ ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଜାଗମରା ଅଞ୍ଚଳ ଉପର ସାହିରେ ରହୁଥିବା କିତାବଙ୍କ ନାମରେ ଏକ ମାମଲା(ନଂ.୨୩/୨୨) ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଏକ ଏୟାର ଗନ୍‌(ଛଡ଼ରା)ରେ ଗୁଳି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଖଣ୍ଡଗିରି ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି। ସୂଚନା ଅନୁଯାୟୀ, ଉପର ସାହିରେ ରହୁଥିବା କିତାବ କିଛି କୁକୁଡ଼ା ରଖିଛନ୍ତି। କିଛିଦିନ ତଳେ କିଛି ବୁଲାକୁକୁର ତାଙ୍କର ୨ କୁକୁଡ଼ାକୁ ମାରି ଦେଇଥିଲେ। ଏହାପରେ ସେ ରାଗି ଯାଇଥିଲେ। କୁକୁରକୁ ଘର ଆଖପାଖରେ ଦେଖିଲେ ସେ ଗୋଡ଼ାଇ ଦିଅନ୍ତି। ବୁଧବାର ଅପରାହ୍ନରେ ପୁଣି କୁକୁର ଦଳ କୁକୁଡ଼ାଙ୍କୁ ଗୋଡ଼ାଇ ଥିଲେ। ଏହା ଦେଖି କିତାବ ରାଗିଯିବା ସହ ପାଖରେ ରଖିଥିବା ଏୟାର ବନ୍ଧୁକରେ ୨କୁକୁରଙ୍କ ଉପରକୁ ଗୁଳି କରିଥିଲେ।