ଭୂସ୍ଖଳନରୁ ୬୭ ଜଣଙ୍କୁ ବଞ୍ଚାଇଲା କୁକୁର

ମଣ୍ଡି,୯ା୭: ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ଜୁନ୍‌ ୩୦ ଏବଂ ଜୁଲାଇ ୧ରେ ଲଗାତର ୩୦ ଘଣ୍ଚା ଧରି ବର୍ଷା ହୋଇଥିଲା, ଯାହାଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଏବଂ ବନ୍ୟାସ୍ଥିତି ଦେଖାଦେଇଥିଲା। ତେବେ ମଣ୍ଡି ଜିଲା ଧର୍ମପୁର ବ୍ଲକ୍‌ର ସିୟାଠୀ ଗ୍ରାମରେ ଏକ କୁକୁର ଜୋର୍‌ରେ ଅନେକ ସମୟ ପାଇଁ ଭୁକିବାରୁ ଗ୍ରାମର ୬୭ ଜଣଙ୍କର ଜୀବନ ବଞ୍ଚି ଯାଇଥିଲା।
ଗ୍ରାମରେ ରହୁଥିବା ନରେନ୍ଦ୍ରଙ୍କ କହିବା ଅନୁଯାୟୀ, ଗତ ୩୦ ତାରିଖ ରାତିରେ ତାଙ୍କ କୁକୁର ଘରର ଦ୍ୱିତୀୟ ମହଲାରେ ଶୋଇଥିଲା। ତେବେ ଅଧ ରାତିରେ କୁକୁରଟି ଜୋର୍‌ରେ ବହୁ ସମୟ ଧରି ଭୁକିବାକୁ ଲାଗିଥିଲା। କୁକୁରର ଭୁକିବା ଶବ୍ଦ ଶୁଣି ନରେନ୍ଦ୍ର ଉଠିଯାଇଥିଲେ ଏବଂ ସେ ଦ୍ୱିତୀୟ ମହଳାକୁ ଯାଇ ଦେଖିବା ବେଳକୁ ତାଙ୍କ ଘରର କାନ୍ଥ ଫାଟିଯାଇଥିଲା ଏବଂ ଉକ୍ତ ଫାଟରୁ ଘର ମଧ୍ୟକୁ ପାଣି ପଶୁଥିଲା। ନରେନ୍ଦ୍ର ତୁରନ୍ତ ବିଚଳିତ ହୋଇ ନିଜ କୁକୁର ସହ ତଳକୁ ଯାଇ ପରିବାରର ଅନ୍ୟମାନଙ୍କୁ ଉଠାଇଥିଲେ। ଏହାପରେ ସେ ପଡ଼ୋଶୀ ଏବଂ ଗ୍ରାମର ଅନ୍ୟ ଲୋକଙ୍କୁ ଉଠାଇ ଲଗାଣ ବର୍ଷା ଯୋଗୁ ଘରଗୁଡ଼ିକର କାନ୍ଥ ଫାଟି ପାଣି ପଶୁଥିବା ନେଇ ସତର୍କ କରାଇଥିଲେ। ଫଳରେ ଭୂସ୍ଖଳନ ଭୟରେ ଗ୍ରାମବାସୀ ତୁରନ୍ତ ସେମାନଙ୍କ ଘରଛାଡ଼ି ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ସିଆଠୀ ଗ୍ରାମରେ ଭୂସ୍ଖଳନ ଘଟିଥିଲା, ଯାହାଫଳରେ ଗ୍ରାମର ଅଧିକାଂଶ ଘର ମାଟିରେ ମିଶିଯାଇଥିଲା।
୭ ଦିନ ଧରି ସିୟାଠୀ ଗ୍ରାମବାସୀମାନେ ନିକଟସ୍ଥ ତ୍ରିୟମ୍ବଲା ଗ୍ରାମର ନୈନାଦେବୀ ମନ୍ଦିରର ମୁଖଶାଳାରେ ସ୍ଥାପନ କରାଯାଇଥିବା ରିଲିଫ୍‌ ଶିବିରରେ ରହୁଛନ୍ତି। ଭୂସ୍ଖଳନରେ ଗ୍ରାମର ୨୬ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମୁଦାୟ ୬୭ ଜଣ ପ୍ରଭାବିତ ହୋଇଛନ୍ତି। ସେହିପରି ଗ୍ରାମରେ ଥିବା ୭୬ ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଗତ ୨୦ ତାରିଖରେ ହିମାଚଳ ପ୍ରଦେଶରେ ମୌସୁମୀ ପହଞ୍ଚିବା ପରଠାରୁ ବନ୍ୟା ଏବଂ ଭୂସ୍ଖଳନ ପରି ବର୍ଷା ଜନିତ ବିଭିନ୍ନ କାରଣରୁ ବର୍ତ୍ତମାନ ସୁଦ୍ଧା ୭୮ ଜଣଙ୍କର ମୃତ୍ୟୁ ଘଟିସାରିଲାଣି।