ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ ଗ୍ରାମ ୯ ନମ୍ବର ୱାର୍ଡରେ ଥିବା ଚହଲା ପଡିଆ ଡାହାଣ କଡ଼ କିଆବୁଦା ନିକଟରୁ ଗୋଟେ କୁକୁର ଏକ ନବଜାତ ଶିଶୁର ମୁଣ୍ଡ ଧରି ପଡିଆ ନିକଟରେ ଥିବା ଶିବ ମନ୍ଦିର ସାମ୍ନା ରାସ୍ତା ନିକଟକୁ ଆଣିଥିଲା। ତାହାକୁ ଲୋକମାନେ ଦେଖି କୁକୁରକୁ ଗୋଡ଼ାଇ ଦେବା ଫଳରେ ସେ ସେଠାରେ ମୁଣ୍ଡ ଛାଡି ପଳାଇଥିଲା। କିଛି ସମୟ ପରେ ପୁନର୍ବାର ସେହି କୁକୁର କିଆ ବୁଦା ଭିତରୁ ସେହି ମୃତ ଶିଶୁର ଗୋଡ଼ ଧରି ଆସିଥିଲା। ଏହାଦେଖି ସୋର ପୋଲିସକୁ ଖବର ଦେଇଥିଲେ।
ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ଉପସ୍ଥିତରେ ପ୍ରଥମେ ସେହି ଖଣ୍ଡ ବିଖଣ୍ଡିତ ଶରୀରକୁ ପୋତି ଦେଇଥିଲେ। ପରେ ଥାନା ଅଧିକାରୀ ଙ୍କ ନିର୍ଦେଶ ମୁତାବକ ପୋତାଯାଇଥିବା ସ୍ଥାନକୁ ପୋଲିସ ରାତିସାରା ଜଗିରହିଥିଲା। ସକାଳେ ଗତରୁ ଖୋଲି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ମୃତ ଶିଶୁକୁ କେହି ଜନ୍ମ ପରେ କିଆ ବୁଦା ମୂଳେ ଫିଙ୍ଗି ଦେଇ ଥାଉ କିମ୍ବା ପୋତି ଦେଇ ଥାଉ ବୋଲି ଲୋକମାନେ ଅନୁମାନ କରୁଛନ୍ତି। ମାତ୍ର ବାଲିକିତ୍ତିରଣ ଗ୍ରାମର ଏଭଳି କୌଣସି ଘଟଣା କାହାରି ହୋଇ ନ ଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।