Categories: Home Leftଖେଳ

ପ୍ରଥମ T20ରେ ଅର୍ଶଦୀପଙ୍କୁ ବାଦ୍ ଦେବା ପରେ ଟାର୍ଗେଟରେ ଗମ୍ଭୀର

ନୂଆଦିଲ୍ଲୀ,୨୯।୧୦: କାନବେରାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ତେବେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଦଳ ଚୟନକୁ ନେଇ ବିବାଦ ଦେଖାଦେଇଥିଲା, ଯେଉଁଥିପାଇଁ ଭାରତର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଫ୍ୟାନ୍ସଙ୍କ କ୍ରୋଧର ଶିକାର ହୋଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ଭାରତର ସର୍ବାଧିକ ୱିକେଟ୍ ନେଇଥିବା ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ପୁଣି ଥରେ ଦଳରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଥିଲା। ଏହି ବାମହାତୀ ଦ୍ରୁତ ବୋଲରଙ୍କୁ ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ମଧ୍ୟ ବାଦ୍ ଦିଆଯାଇଥିଲା। ଲଗାତାର ଦୁଇଟି ମ୍ୟାଚ୍‌ରେ ଅର୍ଶଦୀପଙ୍କୁ ବାଦ୍ ଦିଆଯିବା ପରେ ଫ୍ୟାନ୍ସମାନେ କୋଚ୍ ଗୌତମ ଗମ୍ଭୀରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

କାନବେରାର ମାନୁକା ଓଭାଲ୍‌ରେ ବୁଧବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଲଗାତାର ବର୍ଷା ଯୋଗୁଁ ବାତିଲ ହୋଇଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କିଛି ଚମତ୍କାର ଶଟ୍ ଖେଳି ନିଜ ଫର୍ମକୁ ଫେରିଥିଲେ। ତାଙ୍କ ଉପ-ଅଧିନାୟକ ଶୁଭମନ ଗିଲ୍ (୨୦ ବଲ୍‌ରେ ୩୭*) ମଧ୍ୟ ଭଲ ଫର୍ମରେ ଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ, ବର୍ଷା ଆସିବା ପୂର୍ବରୁ ୯.୪ ଓଭରରେ ୧ ୱିକେଟ୍ ହରାଇ ୭୫ ରନ୍ କରିଥିଲା। ସୂର୍ଯ୍ୟକୁମାର ୨୪ ବଲ୍‌ରେ ଅପରାଜିତ ୩୯ ରନ୍ କରିଥିଲେ। ସେ ଏବଂ ଗିଲ୍ ଦ୍ୱିତୀୟ ୱିକେଟ୍ ପାଇଁ ୩୫ ବଲ୍‌ରେ ୬୨ ରନର ଭାଗିଦାରୀ କରିଥିଲେ। ପୂର୍ବରୁ, ଅଭିଷେକ ଶର୍ମା (୧୪ ବଲ୍‌ରେ ୧୯ ରନ୍) ତିନୋଟି ଚୌକା ମାରି ଇନିଂସ୍ ଆରମ୍ଭ କରିଥିଲେ, କିନ୍ତୁ ସେ ଜୋସ୍ ହାଜେଲଉଡ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ବର୍ଷା ଯୋଗୁଁ ଦୁଇଥର ମ୍ୟାଚ୍ ବାଧାପ୍ରାପ୍ତ ହେବା ପରେ ଶେଷରେ ମ୍ୟାଚ୍ ବାତିଲ କରାଯାଇଥିଲା।