Portrait an unknown male doctor holding a stethoscope behind
ପଟ୍ଟାମୁଣ୍ଡାଇ,୧୭ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଭିତ୍ତିଭୂମି ସହ କୋଠା ଅଛି। ହେଲେ ଆବଶ୍ୟକ ଅନୁଯାୟୀ ଡାକ୍ତର ନାହାନ୍ତି। ଫଳରେ ଯେଉଁ ଡାକ୍ତର ଅଛନ୍ତି ତାଙ୍କ ପାଖରେ ଦୀର୍ଘସମୟ ଧରି ରୋଗୀଙ୍କ ଭିଡ଼ ଲାଗୁଛି। ଆଉ କେଉଁଠାରେ ଆୟୁଷ ଡାକ୍ତର ରୋଗୀ ଦେଖୁଛନ୍ତି। ଡାକ୍ତରଙ୍କୁ ଅପେକ୍ଷା କରି କରି ଶେଷରେ ରୋଗୀଙ୍କୁ ଘରକୁ ଫେରିବାକୁ ପଡୁଛି। ମାତ୍ର ଚିକିତ୍ସାଳୟର ଜଣେ ବିଶେଷଜ୍ଞ ଡାକ୍ତର ରୋଗୀଙ୍କୁ ଡାକ୍ତରଖାନାରେ ନ ଦେଖି ଅଧିକ ସମୟ ଏକ ନିର୍ଦ୍ଦିଷ୍ଟ ମେଡିସିନ୍ ଷ୍ଟୋରରେ ବସି ଦେଖୁଛନ୍ତି ବୋଲି ଅଭିଯୋଗ ହୋଇଛି।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାସ କହିଛନ୍ତି, ସାଧାରଣତଃ ଗରିବ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ନିରାମୟ ଯୋଜନା, କେନ୍ଦ୍ର ସରକାର ଜନୌଷଧି କେନ୍ଦ୍ର ଖୋଲି ବହୁ କମ୍ ମୂଲ୍ୟରେ ଔଷଧ ଲୋକଙ୍କୁ ଯୋଗାଇ ଦେଉଛନ୍ତି। ଗରିବ ଲୋକମାନେ କେମିତି ମାଗଣାରେ ଔଷଧ ପାଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ସହ ଡାକ୍ତରଖାନାରେ ମିଳୁଥିବା ଔଷଧ ହିଁ ଲୋକମାନଙ୍କୁ ଦେବାକୁ କଡ଼ା ନିର୍ଦ୍ଦେଶ ରହିଛି। ଆହୁରି ମଧ୍ୟ ଗରିବ ଲୋକଙ୍କ ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରୁଛନ୍ତି। ମାତ୍ର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ। ଏହି ଚିକିତ୍ସାଳୟରେ ଜଣେ ଡାକ୍ତର ଡାକ୍ତରଖାନାରେ ବହୁ କମ୍ ସମୟ ଚିକିତ୍ସା କରୁଥିଲା ବେଳେ ଅଧିକ ସମୟ ଏକ ନିର୍ଦ୍ଦିଷ୍ଟ ମେଡିସିନ୍ ଦୋକାନରେ ବସି ରୋଗୀ ଦେଖୁଛନ୍ତି ବୋଲି ଅଭିଯୋଗ ହୋଇଛି। ସେ ଯେଉଁ ରୋଗୀଙ୍କ ପ୍ରେସ୍କ୍ରାଇବ୍ କରନ୍ତି ତାହା କେବଳ ସେହି ଔଷଧ ଦୋକାନରେ ହିଁ ମିଳିଥାଏ। ସରକାର ପ୍ରଦତ୍ତ ଜନୌଷଧିକୁ ଗୁରୁତ୍ୱ ନ ଦେଇ ବାହାର ମେଡିସିନକୁ ବେଶି ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି। ରୋଗୀଙ୍କୁ ଯେଉଁ ମେଡିସିନ ସବୁ ଲେଖୁଛନ୍ତି ତାହାର ଅଧିକ ଦାମ୍ ରହୁଛି। ଫଳରେ ସାଧାରଣ ରୋଗୀଟିଏ ପାଇଁ ଔଷଧ କିଣିବା ସମ୍ଭବ ହୋଇପାରୁନାହିଁ। ଆଇନଜୀବୀ ପ୍ରମୋଦ ସାହୁ କୁହନ୍ତି, ପଟ୍ଟାମୁଣ୍ଡାଇ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଛତୁ ଫୁଟିଲା ଭଳି ମେଡିକାଲ ଷ୍ଟୋରଠାରୁ ଆରମ୍ଭ କରି ବେଆଇନ କ୍ଲିନିକ ଖୋଲାଯାଇ ଗରିବ ରୋଗୀଙ୍କଠାରୁ ବିଭିନ୍ନ ଆଳ ଦେଖାଇ ଅର୍ଥ ହରିଲୁଟ କରାଯାଉଛି। ଏପରି କି ମେଡିସିନ ଦୋକାନଗୁଡିକ ବେଆଇନ ଭାବେ ବିନା ସରକାରୀ ପଞ୍ଜୀକରଣରେ ଘରୋଇ କ୍ଲିନିକ୍ କରି ବାହାରୁ ଡାକ୍ତରଙ୍କୁ ଆଣି ରୋଗୀମାନଙ୍କଠାରୁ ମନଇଚ୍ଛା ଟଙ୍କା ଲୁଟ୍ କରୁଥିଲେ ବି ଏଥିପ୍ରତି ଜିଲା ସ୍ବାସ୍ଥ୍ୟ ବିଭାଗ କିମ୍ବା ଡ୍ରଗ୍ସ ଇନ୍ସପେକ୍ଟର ଦୃଷ୍ଟି ଦେଉନାହାନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରାୟ ୩୦ ପ୍ରତିଶତ ମେଡିସିନ ଷ୍ଟୋର ବିନା ଫାର୍ମାସିଷ୍ଟ ଓ ଲାଇସେନ୍ସରେ ଚାଲିଛି। ଫାର୍ମାସିଷ୍ଟ ଅନ୍ୟତ୍ର ଚାକିରି କରୁଥିବା ବେଳେ ମିଛ ସତ୍ୟପାଠ ଦାଖଲ କରି ତାଙ୍କ ନଁାରେ ଲାଇସେନ୍ସ ବାହାର କରି ଅନ୍ୟ ମାଧ୍ୟମରେ ଔଷଧ ବ୍ୟବସାୟ ଚଳାଇଛନ୍ତି। ବେଆଇନ ଔଷଧ ଦୋକାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଏ ସମ୍ପର୍କରେ ଏଡିଏମ୍ଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମେଡିସିନ ଷ୍ଟୋରରେ ବେଆଇନ କ୍ଲିନିକ କରି ରୋଗୀ ଚିକିତ୍ସା ହେଉଥିବା ଅଭିଯୋଗ ଆସିଛି। ଏ ନେଇ ସିଡିଏମ୍ଓ, ଜିଲାପାଳଙ୍କ ନେତ୍ୱତ୍ୱରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯିବ। ସତ୍ୟାସତ୍ୟ ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।