NEP’ କୁ ନେଇ ବଢ଼ୁଛି ଡିଏମ୍‌କେ-ଭାଜପା ବିବାଦ

ନୂଆଦିଲ୍ଲୀ,୨।୩: ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)କୁ ଜବରଦସ୍ତ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଚାପ ପକାଉଥିବାରୁ ଏହାକୁ ନେଇ ତାମିଲନାଡୁର ଶାସକ ଡିଏମ୍‌କେ ଏବଂ ଭାଜପା ମଧ୍ୟରେ ବିବାଦ ତୀବ୍ର ରୂପ ଧାରଣ କରିଛି। ଶିକ୍ଷା ଅଧିକାର ଯୋଜନାରେ କେନ୍ଦ୍ରୀୟ ପାଣ୍ଠିକୁ ସ୍ଥଗିତ ରଖାଯାଇଥିବାରୁ ତାମିଲନାଡୁ ଏହାର ପ୍ରତିବାଦ ଜଣାଇଛି। ରାଜ୍ୟଗୁଡ଼ିକରେ ଏନ୍‌ଇପି ଲାଗୁ କରିବା ସହ ଏହି ପାଣ୍ଠି ଜଡ଼ିତ ଥିବା କେନ୍ଦ୍ର କହୁଥିବାବେଳେ ଏହା ଭାଷାଯୁଦ୍ଧକୁ ବଢ଼ାଇଛି। ଡିଏମ୍‌କେ ଏବଂ ଭାଜପା ମଧ୍ୟରେ ଚାଲିଥିବା ଏହି ବିବାଦରେ ଅନ୍ୟ କୌଣସି ଦଳ ସାମିଲ ହେବେ କି ନାହିଁ, ତାହାକୁ ନେଇ ସାଧାରଣରେ ଆଗ୍ରହ ବଢ଼ିଛି।

ଶିକ୍ଷା ଅଧିକାର ଯୋଜନାରେ ୨,୫୧୨ କୋଟି ଟଙ୍କା ପ୍ରଦାନ ଦାବିରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଖକୁ ପତ୍ର ଲେଖିଥିଲାବେଳେ ତାମିଲନାଡୁ ଏନ୍‌ଇପିର ଅନୁପାଳନ କରି ନ ଥିବା କେନ୍ଦ୍ର କହିଥିଲା। ଏହାଠାରୁ ଯଥେଷ୍ଟ ଅଧିକ ପାଣ୍ଠି ଦେଲେ ବି ହିନ୍ଦୀ ଭାଷାକୁ ରାଜ୍ୟରେ ଲଦିଦିଆଯିବ ନାହିଁ ବୋଲି ଷ୍ଟାଲିନ୍‌ ଘୋଷଣା କରିଥିଲେ। ଷ୍ଟାଲିନ୍‌ଙ୍କ ମନ୍ତବ୍ୟରୁ ରାଜ୍ୟରେ କେବଳ ତାମିଲ ଏବଂ ଇଂଲିଶ ଦୁଇ ଭାଷା ନୀତି ବଳବତ୍ତର ରହିବା ପ୍ରତିଫଳିତ ହେଉଛି।

ସେହିପରି ପଞ୍ଜାବ ଏବଂ ତେଲଙ୍ଗାନା ଯଥାକ୍ରମେ ପଞ୍ଜାବୀ ଓ ତେଲୁଗୁକୁ ସେମାନଙ୍କ ସ୍କୁଲ୍‌ର ବାଧ୍ୟତାମୂଳକ ମୁଖ୍ୟ ଭାଷା କରିବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ହିନ୍ଦୀକୁ ସାରା ଦେଶରେ ଲାଗୁ କରିବା ପାଇଁ ଭାଜପା ଆଗ୍ରହୀ ଥିବାବେଳେ ଉତ୍ତରଭାରରେ ଦଳର ଭାବମୂର୍ତ୍ତି ଦେଖାଇ ଦକ୍ଷିଣ ଭାରତୀୟ ଲୋକଙ୍କ ମଧ୍ୟରେ ଏହାକୁ ଲୋକପ୍ରିୟ କରାଇପାରିବ ନାହିଁ ବୋଲି ଜାଣିଛି। ହିନ୍ଦୀ ଭାଷାକୁ ଜବରଦସ୍ତ ଲଦିଦେବାକୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ବିରୋଧ କରିଆସୁଛନ୍ତି।