Serbia's Novak Djokovic celebrates after defeating Russia's Daniil Medvedev in the men's singles final at the Australian Open tennis championship in Melbourne, Australia, Sunday, Feb. 21, 2021.(AP Photo/Andy Brownbill)
ମେଲବୋର୍ନ, ୨୧।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାତେଇଛନ୍ତି ସର୍ବିଆର ନୋଭାକ ଜୋକୋଭିଚ୍। ରଡ୍ ଲାଭର ଏରିନାଠାରେ ରବିବାର ଅନୁଷ୍ଠିତ ଫାଇନାଲରେ ରୁଷିଆର ଉଦୀୟମାନ ତାରକା ଡାନିଏଲ ମେଡ୍ଭେଡେଭଙ୍କୁ ସିଧାସଳଖ ସେଟ୍ (୭-୫, ୬-୨, ୬-୨)ରେ ହରାଇ ଦେଇଛନ୍ତି। ମ୍ୟାଚ୍ରେ ଜୋକୋଭିଚ୍ ପୂରା ପ୍ରଭାବ ବିସ୍ତାର କରି ଖେଳି ଥିଲେ। ମ୍ୟାଚ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଦକ୍ଷତା ଦେଇଥିଲେ ମେଡ୍ଭେଡେଭ। କିନ୍ତୁ ଦ୍ୱିତୀୟ ଓ ତୃତୀୟ ସେଟ୍ରେ ତାଙ୍କୁ ଭାଗ୍ୟର ସାଥ୍ ମିଳି ନ ଥିଲା। ଏପରି କି ବିରକ୍ତ ହୋଇ ର଼୍ୟାକେଟ ଭାଙ୍ଗି ଦେଇଥିଲେ ବିଶ୍ୱର ୪ ନମ୍ବର ଖେଳାଳି।
ଜୋକୋଭିଚ୍ ଅର୍ଜନ କରିଛନ୍ତି କ୍ୟାରିୟରର ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ। ସର୍ବକାଳୀନ ଗ୍ରାଣ୍ଡସ୍ଲାମ ଟ୍ରଫି ଅଧିକାରୀ ଖେଳାଳିଙ୍କ ତାଲିକାରେ ସେ ଏବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସୁଇଜରଲାଣ୍ଡର ରୋଜର ଫେଡରର ଓ ସ୍ପେନର ରାଫାଲ ନାଡାଲଙ୍କ ପାଖରେ ରହିଛି ସର୍ବାଧିକ ୨୦ଟି ଗ୍ରାଣ୍ଡସ୍ଲାମ ଟ୍ରଫି। ଆଉ ଏହା ବିଶ୍ୱର ନମ୍ବର ଓ୍ବାନ ଖେଳାଳିଙ୍କ ପାଇଁ ୯ମ ଅଷ୍ଟ୍ରେଲିଆନ ଓପନ ଟାଇଟଲ। ଏହି ଧାରାରେ କିମ୍ବଦନ୍ତୀ ସୁଇଜରଲାଣ୍ଡର ରୋଜର ଫେଡରରଙ୍କୁ ପଛରେ ପକାଇ ଦେଇଛନ୍ତି ଜୋକୋଭିଚ୍। ଫେଡରରଙ୍କ ନାମରେ ୮ଟି ଅଷ୍ଟ୍ରେଲିଆ ଓପନ ଟ୍ରଫି ରହିଛି। ତେବେ ଗୋଟିଏ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ସର୍ବାଧିକ ଟ୍ରଫି ଜିତିବାର ରେକର୍ଡ ସ୍ପେନର ରାଫାଲ ନାଡାଲଙ୍କ ନାମରେ ରହିଛି। ସେ ଫ୍ରେଞ୍ଚ ଓପନରେ ୧୩ ଥର ଚାମ୍ପିୟନ ହୋଇଛନ୍ତି।