Categories: Home Leftଖେଳ

ଦର୍ଶକଙ୍କ ନାମରେ ଅଭିଯୋଗ ଆଣିଲେ ଦିବ୍ୟା ଦେଶମୁଖ

ନୂଆଦିଲ୍ଲୀ,୩୧ା୧(ପି.ଟି.): ଭାରତୀୟ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଦିବ୍ୟା ଦେଶମୁଖ ଦର୍ଶକଙ୍କ ନାମରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ନିକଟରେ ଦିବ୍ୟା ନେଦରଲାଣ୍ଡ୍ସର ଓ୍ବିକ୍‌ ଆନ୍‌ ଜିରେ ଟାଟା ଷ୍ଟିଲ୍‌ ମାଷ୍ଟର୍ସ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏହି ଟୁର୍ନାମେଣ୍ଟରେ ଖେଳ ପରିବର୍ତ୍ତେ ତାଙ୍କର କେଶ, ପୋଷାକ, ପରିପାଟୀ ଓ ଭାଷା ଉପରେ ଦର୍ଶକ ଟିପ୍ପଣୀ କରିଥିଲେ ବୋଲି ଦିବ୍ୟା କହିଛନ୍ତି। ଏସିଆନ୍‌ ମହିଳା ଚେସ୍‌ ଚାମ୍ପିୟନଶିପ୍‌ ବିଜେତା ନାଗପୁରର ଏହି ୧୮ ବର୍ଷୀୟା ଆଇଏମ୍‌ ଜଣଙ୍କ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଏହି ଅଭିଯୋଗ ଆଣିଛନ୍ତି। ମହିଳା ଖେଳାଳିମାନେ ନିୟମିତ ଭାବରେ ଏଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଛନ୍ତି। ଏଭଳି ସବୁବେଳେ ହୋଇଥାଏ, ତେବେ ବିଗତ ସପ୍ତାହରେ ମୁଁ ଏହି ସମସ୍ୟାର ସମ୍ମୁଖୀନ ହେବା ପରେ ଏହା ଉପରେ ଲେଖିବାକୁ ବାଧ୍ୟ ହେଲି। ମହିଳା ଚେସ୍‌ ଖେଳାଳିଙ୍କୁ ଦର୍ଶକମାନେ ସର୍ବଦା ଏଭଳି ବ୍ୟବହାର କରିଥାନ୍ତି ବୋଲି ଦିବ୍ୟା କହିଛନ୍ତି।