ନୂଆପଡ଼ା,୬।୮ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଶିକ୍ଷକ ବଦଳି ନେଇ ମଙ୍ଗଳବାର ୨ ପୃଥକ୍ ସ୍ଥାନରେ ଛାତ୍ରୀଛାତ୍ର, ଅଭିଭାବକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନୂଆପଡ଼ା ସଦର ବ୍ଲକ ଜାମପାଣି ପଞ୍ଚାୟତ ଚିଚିରିପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ସମସ୍ୟା ନେଇ ଅଭିଭାବକମାନେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସେହିପରି ସମାନ ସମସ୍ୟା ନେଇ କୋମନା ବ୍ଲକ ଜଟଗଡ ପଞ୍ଚାୟତ ଭରୁଆମୁଣ୍ଡା ଗାଁ ସ୍କୁଲରେ ଗ୍ରାମବାସୀ ତାଲା ପକାଇ ଧାରଣା ଦେଇଥିଲେ।
ସୂଚନା ଅନୁଯାୟୀ ଚିଚିରିପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୯ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ୫ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ୨ ଜଣଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି। ଭଲ ପଢାଉଥିବା ଶିକ୍ଷକଙ୍କୁ ବଦଳି କରାଯାଇଥିବା ଅଭିଯୋଗ କରି ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟ ପଠାଉନାହାନ୍ତି। ବଦଳି ହୋଇଥିବା ୨ ଶିକ୍ଷକଙ୍କୁ ପୁଣି ବିଦ୍ୟାଳୟକୁ ଫେରାଇଆଣିବା ଦାବିକରି ଛାତ୍ରୀଛାତ୍ର ଓ ଅଭିଭାବକ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଜିଲାପାଳ ମଧୁସୂଦନ ଦାଶ ଧାରଣାସ୍ଥଳରେ ପହଞ୍ଚତ୍ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ସ୍କୁଲ ଯାଇ ତଦନ୍ତ କରି ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଲା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ସମୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଘାସିରାମ ବରିହା, ନନ୍ଦ କିଶୋର ରାଉତ, ବିଜେ ଯାଦବ, ସନ୍ତୋଷ ସାହୁ, ସାବିତ୍ରୀ ବରିହା, ଧନମତି ବରିହା, ସରସ୍ବତୀ ବରିହା, ବୁଡୁ ରାଉତ, ସେବା ବରିହା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କୋମନା ବ୍ଲକ ଭରୁଆମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ ଶ୍ରେଣୀରେ ୧୫୩ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୭ ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବାବେଳେ ୨ ଜଣଙ୍କୁ ଅନ୍ୟତ୍ର ବଦଳି କରି ଜଣେ ଦୃଷ୍ଟିବାଧିତ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ବଦଳି ହୋଇଥିବା ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କୁ ଫେରାଇଆଣିବା ଦାବିକରି ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଗାଁ ରାସ୍ତାରେ ଧାରଣା ଦେଇଥିଲେ। କୋମନା ଅତିରିକ୍ତ ତହସିଲଦାର ଯୋଗେଶ୍ୱର ସାହୁ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳମତ ମାଝି ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ସେହି ସମୟରେ ଅଭିଭାବକ ଓ ଗ୍ରାମବାସୀ ଶିକ୍ଷକ ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଲା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ଧାରଣାରେ ମୋଟାରାମ ମାଝି, କୁବେର ମାଝି, ପଦୁ ମାଝି, ମଦନ ସୁନ୍ଦର ସାହୁ, ମଧୁସୂଦନ ମାଝି, ପ୍ରମୋନନ୍ଦ ଗଡତିଆ, କୁମନ ମାଝି, ନୀର ମାଝି, ତପସିନୀ ସାହୁ, ତୁଳ ମାଝି ପ୍ରମୁଖ ସାମିଲ ଥିଲେ।