ଆକ୍ସନରେ ଜିଲାପାଳ: ଛାତ୍ରୀଛାତ୍ରଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକ କଡ଼ା ନିର୍ଦ୍ଦେଶ

ଝାରସୁଗୁଡ଼ା,୧୨ା୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ ଶିକ୍ଷା କ୍ଷେତ୍ରରେ ହୋଇଥିବା ମାସିକ ପ୍ରଗତି ରିପୋର୍ଟ ଉପସ୍ଥାପନ କରିଥିଲେ।

ଜିଲାପାଳ ଚହ୍ୱାଣ ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ସୁରକ୍ଷିତ ତଥା ବିଶୁଦ୍ଧ ପାନୀୟ ଜଳର ଉପଲବ୍ଧତା ନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବିଦ୍ୟାଳୟ ପରିସରରେ ଥିବା ପୁରୁଣା ଏବଂ ଅସୁରକ୍ଷିତ କୋଠାଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ତୁରନ୍ତ ଭାଙ୍ଗିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଥିସହ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ ହାପି ଆୱାର୍ସ କାର୍ଯ୍ୟକ୍ରମକୁ ସମସ୍ତ ସ୍କୁଲରେ ସଫଳତାର ସହ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପିଏମ୍‌ଶ୍ରୀ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଓ ଶିକ୍ଷାଦାନ ଶୈଳୀର ନିୟମିତ ତଦାରଖ କରିବାକୁ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ଜିଲା ସମାଜ ମଙ୍ଗଳ ଅଧିକାରୀ, ଡିଆଇଇଟି ଅଧ୍ୟକ୍ଷ, ଜିଲାର ସମସ୍ତ ବିଇଓ ଏବଂ ବିଭିନ୍ନ ଶିକ୍ଷା ପ୍ରକଳ୍ପର ମୁଖ୍ୟ ଉପସ୍ଥିତ ଥିଲେ।

 

Share