ଜିଲାସ୍ତରୀୟ ଗାନ୍ଧିଜୀ, ଶାସ୍ତ୍ରୀଜୀଙ୍କ ଜୟନ୍ତୀ: ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରଙ୍କୁ କରାଗଲା ପୁରସ୍କାର ବିତରଣ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ୧୫୬ତମ ତଥା ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ୧୨୧ତମ ଜୟନ୍ତୀ ସମାରୋହ ଗୁରୁବାର ବରଗଡ଼ ଜିଲା ସଦର ମହକୁମାଠାରେ ମହାସମାରୋହରେ ପାଳିତ ହୋଇଛି । ସ୍ଥାନୀୟ ଗାନ୍ଧୀଛକ ଠାରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା କଳ୍ପନା ମାଝୀ ପ୍ରମୁଖ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ସ୍ମୃତିଚାରଣ କରିଥିଲେ। ସକାଳ ୪ଟାରୁ ୫ଟା ମଧ୍ୟରେ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ ପରିବେଷଣ କରିବା ପରେ ସକାଳ ୬ଟା୩୦ ମିନିଟରୁ ୭ଟା ୩୦ ମିନିଟ ମଧ୍ୟରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଭାତ ଫେରି ଆୟୋଜିତ ହୋଇଥିଲା। ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ପଣ୍ଡିତ ଦେବରାଜ ଦାଶ, ଫାଦର୍‌ ଅନୁରଞ୍ଜନ ଏବଂ ମୌଲବୀ ସାହେବ ଜମିଲ ଅଖତାରଙ୍କ ମାର୍ଗଦର୍ଶନରେ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ଏହି ଅବସରରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।