ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ାଇଲେ ଜିଲାପାଳ

ନାକଟିଦେଉଳ,୨୩ା୮(ଡ଼ି.ଏନ.ଏ.): ସମ୍ବଲପୁର ଜଲାପାଳ ଅନନ୍ୟା ଦାଶ ନାକଟିଦେଉଳ ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ସାରିବା ପରେ ଜିଲାପାଳ ପେଣ୍ଠବାହାଳ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଯାଇ ନିର୍ମାଣାଧୀନ କୋଠା ବୁଲି ଦେଖିଥିଲେ। ଏହି ଅବସରରେ ସେ ସ୍ମାର୍ଟ କ୍ଲାସ ରୁମକୁ ଯାଇ ଛାତ୍ରୀଛାତ୍ରଙ୍କୁ ଭୁଗୋଳ ବିଷୟରେ ପଢାଇବା ସହ ପ୍ରଶ୍ନ ପଚାରିଥିଲେ। ଏହା ପରେ ପରୀକ୍ଷାଗାର, ଇ-ଲାଇବ୍ରେରୀ ଗୃହ ବୁଲି ଦେଖିବା ସହ ଅଧ୍ୟକ୍ଷା ସୁଜାତା ନାଏକଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଅଧ୍ୟକ୍ଷା ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦେବାକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଜିଲାପାଳ ଡ଼ଇଁଚାଠାରେ ଥିବା ପାନୀୟ ଜଳ ପ୍ରକଳ୍ପ, ଶିମିଳିପାଳ ମାହାପୁରୁ ବନ୍ଧ, ସାହେବୀ ୫-ଟି ସ୍କୁଲ ପରିଦର୍ଶନ କରିଥିଲେ। ସାହେବୀଠାରେ ବାଉଁଶ ଏବଂ ପଥର କାରିଗରୀ କାମ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା କରିଥଲେ। ସେହିପରି ସାହେବୀ ଉଠା ଜଳସେଚନ ପ୍ରକଳ୍ପ, ଝାରବେଡ଼ା ଗ୍ରାମରେ ଥିବା ଫାର୍ମପଣ୍ଡ ମଧ୍ୟ ପରିଦର୍ଶନ କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ବଳ, ରେଢାଖୋଲ ଉପଜିଲାପାଳ ପବିତ୍ର କୁମାର ବେହେରା, ନାକଟିଦେଉଳ ବିଡ଼ିଓ ବିବେକାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।