ଜିଲା ପ୍ରଶାସନର ତତ୍ପରତା: ୬ କ୍ଲିନିକ୍‌ ସିଲ୍‌

ଗୁଣପୁର,୬।୧୧(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡରେ ବେଆଇନ ଭାବେ ଚାଲିଥିବା କ୍ଲିନିକ ଗୁଡିକକୁ ଶୁକ୍ରବାର ଜିଲା ସ୍ବାସ୍ଥ୍ୟ ବିଭାଗ ସିଲ୍‌ କରିଛି। ଉପ ଜିଲାପାଳ ଦୁଧାଲ ଅଭିଷେକ ଦିଲିପ ଗୁରୁବାର ଅଚାନକ ଚଢାଉ କରି ବିଭିନ୍ନ କ୍ଲିନିକ୍‌ଗୁଡିକୁ ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିଲେ। ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଏକ ଟିମ୍‌ ବେଆଇନ କ୍ଲିନିକଗୁଡିକୁ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ସହ ୬ଟି କ୍ଲିନିକକୁ ସିଲ କରିଛନ୍ତି। ମାଜିଷ୍ଟ୍ରେଟ ଭାବେ ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏମ୍‌ ଏମ୍‌ ମେଡିକସ, ଆମ୍ମା କ୍ଲିନିକ, ଅମୂଲ୍ୟ ଭାରତ, ରାଧିକା, ଜଶେଫ ଶବର, ଅନନ୍ତ ଦାସ ପ୍ରମୁଖ କ୍ଲିନିକ ଓ ପାଥୋଲ୍ୟାବର କାଗଜପତ୍ର ତନଖି କରିବା ସମୟରେ ବହୁ ଅସଙ୍ଗତି ନଜରକୁ ଆସିବା ପରେ ସେଗୁଡିକୁ ସିଲ୍‌ କରିଦିଆଯାଇଛି । ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆଦର୍ଶ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛ। ସରକାରୀ ଡାକ୍ତର ଖାନାରେ ଚିକିତ୍ସିତ ହେବା ସହ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଉପ ଜିଲାପାଳ ଗୁଣପୁର ଉପଖଣ୍ଡର ସମସ୍ତ ଜନସଧାରଣଙ୍କୁ ଅପିଲ କରିଥିଲେ। ଏଥିସହ ଅତିରିକ୍ତ ଜିଲାପାଳ, ରାୟଗଡା ନିହାର ରଞ୍ଜନ କହଁରଙ୍କ ନେତୃତ୍ୱରେ ରାମାନଗୁଡ଼ା ବ୍ଲକରେ ମଧ୍ୟ୨ଟି ବେଆଇନ କ୍ଲିନିକ କାଗଜପତ୍ର ତନଖି କରିବା ସହ ସିଲ୍‌ କରାଯାଇଛି। ଆସନ୍ତା ଦିନ ମାନଙ୍କରେ ଗୁଣପୁର ଉପଖଣ୍ଡର ସମସ୍ତ ବ୍ଲକ, ଗ୍ରାମରେ ଥିବା ବିଭିନ୍ନ ବେଆଇନ କ୍ଲିନିକ ଉପରେ ଚଢାଉ ଜାରି ରହିବ। ଲୋକଙ୍କ ସ୍ବାସ୍ଥ୍ୟ ସେବାରେ ଯେମିତି ଅସୁବିଧା ହେବନାହିଁ ତାହା ଉପରେ ନଜର ରଖାଯିବ ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଣପୁର ଭାରପ୍ରାପ୍ତ ଉପଖଣ୍ଡ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ପଣ୍ଡା, ରାଜେଶ ପାତ୍ର, ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।