ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍ସ୍ପଟ୍ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିଲେ ହେଁ ଏନ୍ଏଚ୍ଏଆଇ ଓ ଜିଲା ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉନାହିଁ ବୋଲି ଧରିତ୍ରୀ ଖବର କାଗଜରେ ନ୍ୟୁଜ୍ ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ ପାଇଛି। ତେବେ ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ନିକଟରେ ଥିବା ହମ୍ପସକୁ ଗୁରୁବାର ପ୍ରଶାସନ ଏକ ଜେସିବି ମେଶିନ ସାହାଯ୍ୟରେ ହଟାଇ ଦେଇଥିବା ଦେଖିବାକୁ ମିଳିଛି।
ପ୍ରକାଶ ଯେ, ଡିସେମ୍ବର ୧୮ରେ ଏକ ସିରିଜ୍ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ ଆହତ ହୋଇଥିଲେ। ଏହା ପରଠାରୁ ନିୟମିତ ଭାବେ ଛୋଟବଡ଼ ଦୁର୍ଘଟଣା ଘଟିଚାଲିଛି। ୧ ମାସ ମଧ୍ୟରେ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଯାଇଥିଲା। ବୁଧବାର ସକାଳ ସମୟରେ ଏକ ଟ୍ରକ୍ ଏବଂ ଏକ କାର ମଧ୍ୟରେ ଦୁର୍ଘଟଣା ଘଟି ରାସ୍ତା ପାଖରେ ଥିବା ସୁରକ୍ଷାବାଡ଼କୁ ଧକ୍କାଦେଇ ୧୦ଫୁଟ୍ ତଳକୁ ଗଳିପଡ଼ିଥିଲା। କାର୍ରେ ଥିବା ୩ ଜଣ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ କଟକ ସ୍ଥାନାନ୍ତର କରାଯାଇଛି। ବିଶେଷକରି କୋଳିମାଟି ନିକଟରେ ଦରଖଳା ଘାଟି ରହିଛି। ଦୀର୍ଘ ୬ କି.ମି. ଘାଟି ରାସ୍ତା ଅତିକ୍ରମକରି ଆସୁଥିବା ଭାରିଯାନ ଏଠାରେ ପହଞ୍ଚତ୍ବା ବେଳକୁ ବେଗ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହେଉଛି। କିନ୍ତୁ ଏଠାରେ ଏନ୍ଏଚ୍ଏଆଇ ପକ୍ଷରୁ ବେଗ ନିୟନ୍ତ୍ରକ, ସୂଚନାଫଳକ, ସ୍ପିଡ୍ ବ୍ରେକର, ଆଲୋକ ବ୍ୟବସ୍ଥା କରାଯାଇନାହିଁ। ଗତ ୨୫ ତାରିଖରୁ କୋଳିମାଟି ସାପ୍ତାହିକ ହାଟକୁ କିଛି ଦୂରକୁ ନିଆଯାଇଥିଲେ ମଧ୍ୟ ଏହା ସ୍ଥାୟୀ ସମାଧାନ ନୁହେଁ। ଜାନୁଆରୀ ୨୩ରେ ଆନନ୍ଦପୁର ଆଡ଼କୁ ଆସୁଥିବା ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସା ପର୍ଯ୍ୟନ୍ତ ରାସ୍ତା ଉପରେ ଟ୍ୟାଙ୍କର ପଡ଼ି ରହିଥିଲା। ଫଳରେ ଯାତାୟାତ ବାଧାପ୍ରାପ୍ତହେବା ସହ ଦୁର୍ଘଟଣାର କାରଣ ସାଜୁଛି। ଉକ୍ତ ଦିନ ସନ୍ଧ୍ୟାରେ ମଧ୍ୟ ଏକ ଟ୍ରେଲର ଓ ଟ୍ରକ୍ ମଧ୍ୟରେ ଧକ୍କା ଘଟିଥିଲା। ସ୍ଥାନୀୟ ବାସିନ୍ଦା ସଞ୍ଜିତ ମହାରଣା କହିଛନ୍ତି, ବେଗ୍ ନିୟନ୍ତ୍ରଣ ପାଇଁ ସୂଚନାଫଳକ, ସ୍ପିଡ୍ ବ୍ରେକର ଓ ଟ୍ରାଫିକ ମନିଟରିଂ ବ୍ୟବସ୍ଥା ନ ଥିବାରୁ ଚାଳକମାନେ ସତର୍କ ହୋଇପାରୁନାହାନ୍ତି। ଏନ୍ଏଚ୍ଏଆଇ ଓ ଜିଲା ପ୍ରଶାସନ ଏ ଦିଗରେ ଧ୍ୟାନଦୋବକୁ ଦାବି ହୋଇଥିଲା।ଏଥିସହ ଫ୍ଲାଏଓଭର କିମ୍ବା ଅଣ୍ଡରପାସ୍ ନିର୍ମାଣ ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି।