କୁମ୍ଭାରିପଦରରେ ଜିଲାପାଳ-ଉପଜିଲାପାଳ: ସ୍ଥିତି ପରଖିଲା ଜିଲ୍ଲା ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ମାନ୍ଥା”କୁ ନେଇ ତତ୍ପରତା ହୋଇଛି ଜିଲ୍ଲା ପ୍ରଶାସନ। ଅତି ଦୁର୍ଗମ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମରେ ଅପରାହ୍ନରେ କନ୍ଧମାଳ ଜିଲାପାଳ ବେଦ ଭୂଷଣ, ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ ପହଞ୍ଚି ସ୍ଥିତି ପରଖିଛନ୍ତି। ଦୁର୍ଗମ ଗ୍ରାମରେ ହଠାତ ୨ ଜଣ ଆଇଏଏସ ଅଧିକାରୀଙ୍କୁ ପାଖରେ ପାଇ ଅଞ୍ଚକବାସୀ ଖୁସି ଅନୁଭବ କରିବା ସହ ତାଙ୍କ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି। ୨ ଆଇଏଏସ ଅଧିକାରୀଙ୍କ ସହ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର ଓ ଅନ୍ୟ ଅଧିକାରୀ ମଧ୍ୟ କୁମ୍ଭାରିପଦର ଗ୍ରାମରେ ପହଞ୍ଚି ଏକାଧିକ ଥର ଭୂସ୍ଖଳନ ହୋଇଥିବା ସ୍ଥାନକୁ ବୁଲି ଦେଖିଛନ୍ତି। ତେବେ ସେହି ଅଞ୍ଚଳରେ ଏବେ କୌଣସି ଅସୁବିଧା ନ ଥିବାରୁ କୁମ୍ଭାରିପଦର ଗ୍ରାମବାସୀଙ୍କୁ ପୂର୍ବ ବାତ୍ୟା ଭଳି ଆଶ୍ରୟସ୍ଥଳକୁ ଅଣାଯାଇନାହିଁ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ତାମାଙ୍ଗି ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇପାରେ ବୋଲି କୁହାଯାଇଛି । ଜିଲାପାଳ ଏବଂ ଉପଜିଲାପାଳ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସମ୍ଭାବିତ ଭୂସ୍ଖଳନ ସ୍ଥାନ ବୁଲିଦେଖିବା ସହ ବିଡ଼ିଓ ଏବଂ ତହସିଲଦାର ପଞ୍ଚାୟତ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ବାତ୍ୟା ସମ୍ପର୍କିତ ମୁକାବିଲା ପାଇଁ ସମୀକ୍ଷା କରିଛନ୍ତି।

Dharitri – Odisha’s No.1 Odia Daily