ନୂଆଦିଲ୍ଲୀ,୨୦।୨: ଭାଜପା ବିଧାୟିକା ରେଖା ଗୁପ୍ତା ଦିଲ୍ଲୀର ୯ମ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିବା ସହ ସଚିବାଳୟ ଯାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ଦିଲ୍ଲୀରେ ରେଖା ସରକାର ଆରମ୍ଭ ହୋଇଛି। ୨୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ବ୍ୟବଧାନ ପରେ ଗତ ୫ ତାରିଖରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ପାଖରେ ଅର୍ଥ, ଯୋଜନା, ସାଧାରଣ ପ୍ରଶାସନ ବିଭାଗ (GAD), ମହିଳା ଏବଂ ଶିଶୁ ବିକାଶ (WCD), ସେବା, ରାଜସ୍ବ, ଜମି ଏବଂ କୋଠାବାଡ଼ି, ସୂଚନା ଏବଂ ଲୋକସମ୍ପର୍କ (I&PR), ସତର୍କତା, ପ୍ରଶାସନିକ ସଂସ୍କାର (AR) ମନ୍ତ୍ରଣାଳୟ ନିଜ ରଖିଥିବାବେଳେ ପରଭେଶ ବର୍ମାଙ୍କୁ ପିଡବ୍ଲୁଡି, ବିଭାଗ ମିଳିଛି। ସେହିପରି ପରଭେଶ ସାହିବ ସିଂହଙ୍କୁ ପବ୍ଲିକ ୱାର୍କସ ବିଭାଗ (ପିଡବ୍ଲୁଡି), ବିଧାନସଭା ବ୍ୟାପାର, ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ (ଆଇ ଆଣ୍ଡ ଏଫସି), ଜଳ ବିଭାଗ ଦିଆଯାଇଛି।
ଆଶିଷ ସୁଦଙ୍କୁ ଗୃହ, ବିଦ୍ୟୁତ, ନଗର ଉନ୍ନୟନ (UD), ଶିକ୍ଷା, ଉଚ୍ଚଶିକ୍ଷା, ତାଲିମ ଏବଂ ବୈଷୟିକ ଶିକ୍ଷା, ସରଦାର ମନଜିନ୍ଦର ସିଂହ ସିରସାଙ୍କୁ ଖାଦ୍ୟ ଏବଂ ଯୋଗାଣ, ଜଙ୍ଗଲ ଏବଂ ପରିବେଶ, ଶିଳ୍ପ ବିଭାଗ ଦିଆଯାଇଛି।
ସୂଚନାଯୋଗ୍ୟ, ରାମଲୀଳା ମଇଦାନରେ ଅନୁଷ୍ଠିତ ଭବ୍ୟ ଶପଥଗ୍ରହଣ ଉତ୍ସବରେ ରେଖାଙ୍କ ସହ ଅନ୍ୟ ୬ ଜଣ ମନ୍ତ୍ରୀ ଶପଥ ନେଇଥିଲେ। ସେମାନେ ହେଲେ ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହରାଇଥିବା ପର୍ଭେଶ ବର୍ମା, ହିନ୍ଦୁତ୍ୱବାଦୀ ନେତା କପିଲ ଶର୍ମା, ଦଳର ଶିଖ୍ ଚେହେରା ମଞ୍ଜିନ୍ଦର ସିଂ ସିର୍ସା, ଆଶିଷ ସୁଦ୍ , ରବିନ୍ଦର ଇନ୍ଦ୍ରଜ ସିଂ ଏବଂ ପଙ୍କଜନ ସିଂ। ଉପରାଜ୍ୟପାଳ ଭି.କେ. ସାକ୍ସେନା ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀଗଣ, ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ, ଭାଜପାର ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଏନ୍ଡିଏ ନେତାମାନେ ଯୋଗଦେଇଥିଲେ। ଭାଜପାର ସୁଷମା ସ୍ବରାଜ, କଂଗ୍ରେସର ଶୀଲା ଦୀକ୍ଷିତ ଏବଂ ଆମ୍ ଆଦ୍ମୀ ପାର୍ଟିର ଆତିଶୀଙ୍କ ପରେ ରେଖା ନୂଆଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ। ଏହି ୫୦ ବର୍ଷୀୟା ଶାଲିମାର ବାଗ୍ ବିଧାୟିକା କାର୍ଯ୍ୟଭାର ଗ୍ରହଣ କରିବା ସହ ନିର୍ବାଚନ ବେଳେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ତାଙ୍କ ସରକାର ନିଶ୍ଚୟ ପୂରଣ କରିବେ ବୋଲି କହିଛନ୍ତି। ପ୍ରତିଶ୍ରୁତି ଅନୁଯାୟୀ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରୁ ଦିଲ୍ଲୀର ମହିଳାମାନଙ୍କୁ ମାସିକ ୨,୫୦୦ ଟଙ୍କା ସହାୟତା ଯୋଗାଇଦିଆଯିବ ବୋଲି ରେଖା କହିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ୪୮ ଆସନରେ ବିଜୟୀ ହୋଇଥିଲା।