ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ ରୟାଲ୍‌ଟି ବାବଦକୁ ଟ୍ରାକ୍ଟର ଟ୍ରିପ୍‌ ପିଛା ୩ ଶହ ଟଙ୍କା ବୃଦ୍ଧି କରାଯାଇଛି। ଅପରପକ୍ଷେ ରୟାଲ୍‌ଟି ବାବଦକୁ ଦିଆଯାଉଥିବା ୱେ ବିଲ୍‌ରେ ପଇଠ ଟଙ୍କା ଲେଖାଯାଉନାହିଁ। ଏନେଇ ଯୋଗୀସର୍ଡା ସରପଞ୍ଚ ବିଜୁଳି ପ୍ରଧାନ ଓ ବୁର୍ଡା ସରପଞ୍ଚ ସୁଦୀପ କୁମାର ସା ପ୍ରମୁଖ ପ୍ରତିବାଦ କରି କ୍ଷୋଭ ପ୍ରକାଶ କରିଛନ୍ତି। ଏହାସହିତ ଉଭୟ ସ୍ଥାନୀୟ ତହସିଲଦାର ଟିକୁନୁ ପୁଟାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଅଭିଯୋଗରୁ ପ୍ରକାଶ ଯେ, ଯୋଗୀସର୍ଡା ପଞ୍ଚାୟତ ଛେଲବାହାଲ ସୁକତେଲ ନଦୀ ବାଲଘାଟକୁ ଜଣେ ବ୍ୟକ୍ତି ଲିଜ୍‌ ପାଇଛନ୍ତି। ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଲିଜ ଧାର୍ଯ୍ୟ ସମୟ ରହିଛି। ଜାନୁଆରୀ ୨୭ ତାରିଖ ପର୍ଯ୍ୟନ୍ତ ଉକ୍ତ ବାଲିଘାଟରୁ ବାଲି ଉଠାଣ ବାବଦକୁ ଟ୍ରାକ୍ଟର ପିଛା ୩ ଶହ ଟଙ୍କା ନିଆଯାଉଥିଲା। ହେଲେ ୨୮ ତାରିଖ ଠାରୁ ୩ ଶହ ବଦଳରେ ୬ ଶହ ଟଙ୍କା ନିଆଯାଇଛି। କିନ୍ତୁ ବାଲି ପରିବହନ ବାବଦକୁ ଦିଆଯାଉଥିବା ୱେ ବିଲ୍‌ରେ ନିଆଯାଉଥିବା ଟଙ୍କା ଦର୍ଶାଯାଉନାହିଁ। ଅପରପକ୍ଷରେ ଯୋଗୀସର୍ଡା ପଞ୍ଚାୟତ ପାନୀୟ ଜଳ ପ୍ରକଳ୍ପରେ ସୁକତେଲ ନଦୀ ଶଯ୍ୟାର ଗ୍ୟାଲେରିରୁ ବେଧଡକ ବାଲି ଉଠାଣ ଯୋଗୁ ଖରା ଦିନରେ ପାଣି ସଙ୍କଟ ଆଶଙ୍କା ରହିଛି। କାରଣ ଛେଲବାହାଲସ୍ଥିତ ସୁକତେଲ ନଦୀରୁ ଯୋଗୀସର୍ଡା ପଞ୍ଚାୟତର ସମସ୍ତ ଗ୍ରାମକୁ ପାଇପ ଜଳ ଯୋଗାଣ ହେଉଛି ା ଫଳରେ ଏ ନେଇ ଯୋଗୀସର୍ଡା ସରପଞ୍ଚ ବିଜୁଳି ପଧାନ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକଳ୍ପ ନିକଟ ନଦୀଶଯ୍ୟା ଗ୍ୟାଲେରି ଉପରୁ ବାଲି ଉଠାଣକୁ ବାରଣ କରି ଲିଜ୍‌ ସୀମାରୁ ବାଲି ଉଠାଇବାକୁ ସେ କହିଛନ୍ତି। ଏ ସମ୍ପର୍କରେ ତହସିଲଦାର ପୁଟାଙ୍କୁ ପଚାରିବାରୁ ଏନେଇ ଅଭିଯୋଗ ପାଇଲା ପରେ ଲିଖିତ ଭାବେ ଜଣାଇବାକୁ ଉଭୟ ସରପଞ୍ଚଙ୍କୁ କୁହାଯାଇଛି। ସେହିପରି ବଲାଙ୍ଗୀର ଖଣି ଅଧିକାରୀ ଅଙ୍କିତ ଦାସଙ୍କୁ ପଚାରିବାରେ ଭିନ୍ନ ଭିନ୍ନ ଦରରେ ଘାଟ ଲିଜ୍‌ ରହିଛି। ଲିଜ୍‌ଧାରୀଙ୍କ ଉପରେ ୱେ ବିଲ୍‌ ଦର ନିର୍ଦ୍ଧାରଣ କରୁଛି। ଅନ୍‌ଲାଇନରେ ଚାଲାଣ କଟାଯାଉଛି। କାହିଁକି ୱେ ବିଲ୍‌ ଦର ରହୁନାହିଁ। ଏହାକୁ ନେଇ ବିବାଦ ଦେଖାଦେଉଛି ବୋଲି ପଚାରିବାରୁ ,ଯଦି ସେମିତି ପରିସ୍ଥିତି ଉପୁଜୁଛି , ତେବେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିକୁ ଅଣାଯିବ ବୋଲି ସେ କହିଥିଲେ।

 

Dharitri – Odisha’s No.1 Odia Daily

Share