ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ତେଜାଗୋଲାରେ ଏନ୍ଜିଓ ଦ୍ୱାରା ପରିଚାଳିତ ଏକ ଛାତ୍ରାବାସ ବନ୍ଦ କରିବାକୁ ପ୍ରଶାସନ ତଥା ଜିଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ ସମିତି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରାବାସକୁ ବନ୍ଦ କରି ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ପ୍ରଶାସନ ପାଖରେ ଦେବାକୁ ନିର୍ଦ୍ଦେଶ ରହିଛି। ଏହାକୁ ନେଇ ସମ୍ପୃକ୍ତ ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ଏବଂ ସେମାନଙ୍କ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି। ଏହି କ୍ରମରେ ବୁଧବାର ଛାତ୍ରାବାସ ପରିଚାଳକ, ଅନ୍ତେବାସୀ ଏବଂ ଅଭିଭାବକମାନେ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଛାତ୍ରାବାସରେ ସେମାନଙ୍କ କୌଣସି ସମସ୍ୟା ଉପୁଜୁ ନାହିଁ ଏବଂ ସେଠାରେ ସେମାନେ ସୁରକ୍ଷିତ, ନିରାପଦ ଭାବେ ଅବସ୍ଥାନ କରି ଉଚ୍ଚଶିକ୍ଷା ଲାଭ କରୁଥିବାରୁ ସମ୍ପୃକ୍ତ ଛାତ୍ରାବାସକୁ ବନ୍ଦ ନ କରିବା ପାଇଁ ସେମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ଉକ୍ତ ଛାତ୍ରାବାସରେ ସମୁଦାୟ ୧୨୦ଜଣ ଅନ୍ତେବାସୀ ଅବସ୍ଥାନ କରୁଛନ୍ତି। ସେମାନେ ସେଠାରେ ରହି ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରଥମରୁ ସ୍ନାତକ ପର୍ଯ୍ୟନ୍ତ ପଢୁଥିବାବେଳେ ସମ୍ପୃକ୍ତ ଏନ୍ଜିଓ ସମସ୍ତ ଖର୍ଚ୍ଚ ବହନ କରୁଛି। ଜିଲା ପ୍ରଶାସନର କୌଣସି ଅନୁମତି ନିଆଯାଇ ନଥିବାରୁ ପ୍ରଶାସନ ପକ୍ଷରୁ ଛାତ୍ରାବାସକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ବାରମ୍ବାର ଅନୁମତି ପାଇଁ ଜିଲା ପ୍ରଶାସନକୁ ଲିଖିତ ଆବେଦନ କରାଯାଇଥିଲା। କିନ୍ତୁ ଅନୁମତି ମିଳି ନଥିଲା, ବରଂ ଆବେଦନ ପତ୍ରକୁ ଖାରଜ କରି ଦିଆଯାଇଛି ବୋଲି ଛାତ୍ରାବାସ ସୁପରିଣ୍ଟେଣ୍ଡାଣ୍ଟ କହିଛନ୍ତି।
ତେବେ ଛାତ୍ରାବାସ ବନ୍ଦ ନିର୍ଦ୍ଦେଶ ମିଳିବା ପରେ ଅନ୍ତେବାସୀମାନେ ସେମାନଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ଜଣେ ଅନ୍ତେବାସୀ ତେଜଶ୍ୱରୀ ମଙ୍ଗରାଜ କହିଛନ୍ତି, ସେ ଉକ୍ତ ଛାତ୍ରାବାସରେ ପ୍ରଥମ ଶ୍ରେଣୀରୁ ରହୁଛନ୍ତି। ସେ ଏବେ ଏକ ନର୍ସିଂ କଲେଜରେ ଦ୍ୱିତୀୟ ବର୍ଷ ଛାତ୍ରୀଭାବେ ପଢୁଛନ୍ତି। ସମ୍ପୃକ୍ତ ଏନ୍ଜିଓ ଖାଇବା, ପିଇବା, ପୋଷାକ ପରିଚ୍ଛଦଠାରୁ ଆରମ୍ଭ କରି ସମସ୍ତ ପଢ଼ାଖର୍ଚ୍ଚ ବହନ କରୁଛନ୍ତି। କେବେ କୌଣସି ଅସୁବିଧା ହୋଇ ନାହିଁ। ହେଲେ ଛାତ୍ରାବାସକୁ ପ୍ରଶାସନ କାହିଁକି ବନ୍ଦ କରି ଦେଉଛନ୍ତି। ଛାତ୍ରାବାସ ବନ୍ଦ କରିଦେଲେ ଆମେ ଏବେ କେଉଁଠି ପଢ଼ିବୁ ଏବଂ ଆମ ସମସ୍ତ ଖର୍ଚ୍ଚ କିଏ ବହନ କରିବ ବୋଲି ପ୍ରଶ୍ନ କରି ଉକ୍ତ ଛାତ୍ରାବାସକୁ ବନ୍ଦ କରିବା ପାଇଁ ସେ ନିବେଦନ କରିଛନ୍ତି। ସେହିପରି ଅନ୍ୟଜଣେ ଅନ୍ତେବାସୀ ସୁଶିଳା ନନ୍ଦ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି ଏବଂ ଛାତ୍ରାବାସ ବନ୍ଦ ହୋଇଗଲେ ଆମ ପଢ଼ା ଅଧାରେ ରହିଯିବ ଏବଂ ଭବିଷ୍ୟତ ଅନ୍ଧାର ହୋଇ ଯିବ ବୋଲି ସେ କହିଛନ୍ତି। ଛାତ୍ରାବାସ ବନ୍ଦ ନ କରିବା ପାଇଁ ଅନେକ ଅନ୍ତେବାସୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।