ଜନପ୍ରତିନିଧିଙ୍କୁ ଅଣଦେଖା ନେଇ ଉଦ୍‌ବେଗ

ଲୋଇସିଂହା,୩୦।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବିଡିଓ ଅକ୍ଷୟପାଣି ଉଦୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଜିପିଓ କିଶୋର ମାନସିଂ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା ପାଇଁ ବିଇଓ ରୀନାକୁମାରୀ ବେହେରାଙ୍କୁ ଆହ୍ବାନ କରିଥିଲେ। ବିଇଓ ବେହେରା ଶିକ୍ଷା ବିଭାଗର ସଫଳତା ଏବଂ ଶିକ୍ଷାନୁଷ୍ଠାନରେ ରହିଥିବା ସମସ୍ୟା ଉପସ୍ଥାପନା କରିଥିଲେ। ଡା.ସଞ୍ଜୀବ ବିଶ୍ୱାଳ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନା ବେଳେ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ହେବା ସହିତ ରାଜ୍ୟ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟ ଉପକରଣ ଯୋଗାଇ ଦିଆଯାଇଥିବା ସୂଚନା ଦେଇଥିଲେ। ଏହାଛଡା ଫାଇଲେରିଆ ନିରାକରଣ ଓ କୁଷ୍ଠରୋଗ ମୁକ୍ତ ଉପରେ ଜନପ୍ରତିନିଧିଙ୍କ ସହଯୋଗ ଲୋଡିଥିଲେ। କୃଷି ଆଲୋଚନା ବେଳେ ମୁଗ, ତିଆସି, ଚଣା ଆଦି କିଟ ବଣ୍ଟନ ବେଳେ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଥିଲା। ସେହିପରି ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରସାଦ ସାମନ୍ତରାୟ ଜନସ୍ବାସ୍ଥ୍ୟ ବିଭାଗ ସମ୍ବନ୍ଧରେ ଆଲୋଚନା କରି କହିଥିଲେ, ବ୍ଲକରେ ୧୪୬୩ ନଳକୂପ ରହିଛି ା ଗ୍ରୀଷ୍ମ ମୁକାବିଲା ପାଇଁ ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧ ଶହ ନଳକୂପ ମରାମତି କାର୍ଯ୍ୟ ସରିଥିବା ସେ କହିଥିଲେ। ଗ୍ରାମାଞ୍ଚଳରେ ଚାଲିଥିବା ପାନୀୟ ପ୍ରକଳ୍ପ ବର୍ଷବର୍ଷ ଧରି ସରୁନାହିଁ। ଲୋକଙ୍କ ପାଇଁ ପ୍ରକଳ୍ପ ସ୍ବପ୍ନ ପାଲଟିଥିବାରୁ ସଭ୍ୟାସଭ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ସିଡିପିଓ ଗାୟତ୍ରୀ ବାରିକ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ସମ୍ପର୍କରେ ଆଲୋଚନା ବେଳେ ୧୬୯ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୬୭ କେନ୍ଦ୍ର ସକ୍ଷମ କେନ୍ଦ୍ର କରାଯାଇଥିବା କହିଥିଲେ। ବ୍ଲକର ଛେଳବାହାଲର ଏକ ଅଙ୍ଗନବାଡି କେନ୍ଦ୍ରର କର୍ମୀ କେନ୍ଦ୍ରକୁ ଆସୁ ନ ଥିବା ଏବଂ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ପ୍ରଦାନରେ ଅନିୟମିତା ଘଟଣାରେ ସ୍ଥାନୀୟ ସରପଞ୍ଚ ବିଜୁଳି ପଧାନ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଏକ ଷ୍ଟାଣ୍ଡିଂ କମିଟି ଗଠନ କରି କେନ୍ଦ୍ର ଅନୁଧ୍ୟାନ କରି ରିପୋର୍ଟ କରିବାକୁ ବ୍ଲକ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ବ୍ଲକର ଉନ୍ନୟନ କାମ ସମ୍ପର୍କରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ କାମରେ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟାସଭ୍ୟଙ୍କୁ ଅଣଦେଖା କରାଯାଇ କାମ କରାଯାଉଥିବାରୁ ସଭ୍ୟାସଭ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Share