ଦିଗପହଣ୍ଡି,୮। ୧୦(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପରିଚାଳିତ ଉତ୍ପାଦକ ସଂଘ ଏବଂ ଏମ୍ଏସ୍ଏମ୍ଇ ଗୋଷ୍ଠୀ ଦ୍ଵାରା ଅଙ୍ଗନୱାଡ଼ି କେନ୍ଦ୍ରରେ ପଢୁଥିବା ଶିଶୁ ଙ୍କୁ ଶୀତବସ୍ତ୍ର ଯୋଗାଣକୁ ନେଇ ବିବାଦ ଦେଖା ଦେଇଥିବା ଜଣାପଡିଛି । ଚଳିତ ବର୍ଷ ଅଙ୍ଗନୱାଡ଼ି ଶିଶୁମାନଙ୍କୁ ଉଲ୍ ଦ୍ଵାରା ପ୍ରସୂତ ଶୀତବସ୍ତ୍ର ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ହୋଇଥିବା ଜଣାପଡିଛି । ସ୍ୱୟଂ ସହାୟିକା ଗୋଷ୍ଠୀ ଉଲରେ ବୁଣି ଶୀତବସ୍ତ୍ର ପ୍ରଦାନ ନକଲେ ସମ୍ପୃକ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ଉଲ ବସ୍ତ୍ର କ୍ରୟ ପାଇଁ ଆବଶ୍ୟକ ଅର୍ଥରାଶି ପ୍ରଦାନ ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଛି। ଏନେଇ ସ୍ୱୟଂ ସହାୟିକା ସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇ ବୁଧବାର ଦିଗପହଣ୍ଡି ସମନ୍ବିତ ଶିଶୁ ପ୍ରକଳ୍ପ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀଙ୍କ ଜରିଆରେ ଗଞ୍ଜାମ ଜିଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉଲ୍ ଦ୍ଵାରା ବୁଣାଯାଇ ଶୀତବସ୍ତ୍ର ତିଆରି କରିବା ପାଇଁଁ ଆବଶ୍ୟକ ମୂଲ୍ୟଠାରୁ ସରକାରଙ୍କ ମୂଲ୍ୟ ବହୁତ କମ୍ ହୋଇଛି । ଯାହାଫଳରେ ଉଲ୍ ଦ୍ବାରା ଶୀତବସ୍ତ୍ର ବୁଣି ପୋଷାକ ସିଲାଇ କରିବା କଷ୍ଟ ସାଧ୍ୟ ହୋଇପଡିଛି । ଏଣୁ ଚଳିତବର୍ଷ ପୂର୍ବବର୍ଷ ଭଳି ଶୀତବସ୍ତ୍ର ସିଲେଇ କରି ଅଙ୍ଗନୱାଡ଼ି ଶିଶୁଙ୍କୁ ଯୋଗାଇବା ପାଇଁ ସଂଘ ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର କାର୍ଯ୍ୟକର୍ତ୍ତା କେ . ସନ୍ଧ୍ୟା ରାଣୀ ପାତ୍ର , ନୁନୀ ଗୈାଡ , ସୁଚିତ୍ରା ପ୍ରଧାନ , ନମିତା ରେଡ୍ଡୀ , ଅନୀତା ବେହେରା , ଧନଲକ୍ଷ୍ମୀ ରେଡ୍ଡୀ , ଜ୍ୟୋତ୍ସ୍ନା ପ୍ରଧାନ ଙ୍କ ସମେତ ବହୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ । ଏନେଇ ସିଡିପିଓଙ୍କୁ ପଚାରିବାରୁ ଦିଗପହଣ୍ଡି ବ୍ଲକରେ କୌଣସି ସ୍ଵୟଂ ସହାୟିକା ଗୋଷ୍ଠୀ ପାଖରେ ଉଲ ତିଆରି ପୋଷାକ ନିମନ୍ତେ ମେସିନ ନାହିଁ।ସେମାନେ ପୂର୍ବରୁ ବଜାର ଦୋକାନ ମାନଙ୍କରୁ ଶୀତବସ୍ତ୍ର କ୍ରୟ କରି ବଣ୍ଟନ କରୁଥିଲେ।ଚଳିତ ବର୍ଷ ରାଜ୍ୟସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏନେଇ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି। ନିଜସ୍ଵ ମେସିନ ନ ଥିଲେ ଶୀତବସ୍ତ୍ର ଯୋଗାଣ ଦାୟିତ୍ଵ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବାଦ ଦେଇ ଅଙ୍ଗନୱାଡ଼ି କର୍ମୀଙ୍କୁ ଦାୟିତ୍ଵ ଦେବାକୁ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିବା ସେ କହିଛନ୍ତି।