ଓ୍ବାକଫ ଶଂସୋଧନ ବିଧେୟକକୁ ନେଇ ନୀତୀଶ କୁମାରଙ୍କ ଦଳରେ କଳହ! JDUର ଜଣେ ନେତା ଦେଲେ ଇସ୍ତଫା

ପାଟନା,୩।୪: ଜେଡିୟୁ ୱାକଫ ସଂଶୋଧନ ବିଲକୁ ସମର୍ଥନ କରିଛି। ଦଳର ଏହି ସମର୍ଥନରେ ମୁସଲିମ ନେତାମାନେ କ୍ଷୁବ୍ଧ। ଜେଡିୟୁ ଏମଏଲସି ଗୁଲାମ ଗୌସ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ଗୁଲାମ ରସୁଲ ବାଲିୟାଭି ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମୟରେ, ଖବର ଆସିଛି ଯେ ଜେଡିୟୁ ନେତା ଏବଂ ବିଧାନସଭା ନିର୍ବାଚନ ପ୍ରାର୍ଥୀ ମହମ୍ମଦ କାସିମ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳରୁ ଇସ୍ତଫା ଦେଇଛନ୍ତି।
ମହମ୍ମଦ କାସିମ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଇସ୍ତଫାର କାରଣ ୱାକଫ ସଂଶୋଧନ ବିଲ ପ୍ରତି ସମର୍ଥନ ବୋଲି କୁହାଯାଉଛି। ଯଦିଓ ଏହା କେବଳ ଆରମ୍ଭ କିନ୍ତୁ ଜେଡିୟୁରେ ମୁସଲିମ ନେତାମାନେ ଯେପରି କ୍ଷୁବ୍ଧ, ଆଗାମୀ ସମୟରେ ଅନେକ ବଡ଼ ମୁହଁ ଦଳ ଛାଡିପାରନ୍ତି। ଗୁଲାମ ରସୁଲ ବାଲିଆଭି ମଧ୍ୟ ଜେଡିୟୁ ଛାଡି ପାରିବେ। ଜେଡିୟୁର ମୁସଲିମ ନେତାମାନଙ୍କ ଉପରେ ମୁସଲିମ ସଂଗଠନଗୁଡ଼ିକର ଚାପ ବଢ଼ିବା ଆରମ୍ଭ ହୋଇଛି। ମୁସଲିମ ସଂଗଠନ ଏବଂ ସମାଜ ଦ୍ୱାରା ଚାପ ସୃଷ୍ଟି କରାଯାଉଛି।