ଦାରିଙ୍ଗବାଡ଼ି, ୨୮ା୫(ଅରୁଣ ସାହୁ): ଦାରିଙ୍ଗବାଡ଼ି ତହସିଲ ଅଧୀନ ତରବାଡ଼ି ଗ୍ରାମରେ ଏକ ସରକାରୀ ଜମିକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ମଧ୍ୟରେ ବିବାଦ ସହ ଗଣ୍ଡଗୋଳ ପରିସ୍ଥିତି ଦେଖାଯାଇଛି। ଏହାର ସମାଧାନ ପାଇଁ ବୁଧବାର ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବର ଏବଂ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ବିବାଦୀୟ ଜମିରେ ନାଲି ପତାକା ପୋତିଛି। ସେହି ଜମିକୁ କୋର୍ଟର ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଉଭୟପକ୍ଷ ଯାଇପାରିବେ ନାହିଁ ବୋଲି ତହସିଲଦାର କହିଛନ୍ତି।
ପ୍ରକାଶ ଯେ, ଉକ୍ତ ଗ୍ରାମରେ ରହିଥିବା ପ୍ଲଟ ନଂ. ୩୬୦ରେ ୪୯୫ ଆର୍ ଜମିକୁ ଗୋଟିଏ ପକ୍ଷ ଚାଷ ଜମି ଭାବେ ବ୍ୟବହାର କରିବା ସହ ଘର କାର୍ଯ୍ୟ କରୁଥିବା ବେଳେ ଆଉ ଗୋଟିଏ ପକ୍ଷ ଗୋଷ୍ଠୀ ଜମି ଭାବେ ଚର୍ଚ୍ଚ ଘର କରିଛନ୍ତି। ଯେଉଁ ଜମିକୁ ଅନ୍ୟପକ୍ଷ ଚାଷ କରୁଛନ୍ତି ତାହା ବ୍ୟକ୍ତିଗତ ନୁହଁ ଗୋଷ୍ଠୀ ଜମି ଭାବେ ବ୍ୟବହାର କରିବାକୁ ଗ୍ରାମବାସୀ ଦାବି କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା।
ତରବାଡ଼ି ଗ୍ରାମବାସୀଙ୍କ କହିବା ଅନୁସାରେ ସେମାନେ କୁଆଡେ ଉକ୍ତ ଜମିକୁ ଗୋଷ୍ଠୀ ଜମି ଭାବେ ବ୍ୟବହାର କରିବା ସହ ଧର୍ମାନୁଷ୍ଠାନ ପାଇଁ ବ୍ୟବହାର କରିବାକୁ ୨୦୧୧ ମସିହା ମେ ୩୧ରେ ଜଙ୍ଗଲଜମି ଅଧିକାର କମିଟି ଓ ଗ୍ରାମବାସୀ ବୈଠକ କରିଥିଲେ। ସେହି ସମୟରେ ସେମାନେ ପତିତ ଘାସ ଜମିରେ ଧର୍ମାନୁଷ୍ଠାନ କରିବାକୁ ନିଷ୍ପତି ନିଆଯାଇଥିବା ଦାବି କରିଛନ୍ତି।
ସେପଟେ ଅନ୍ୟ ଗୋଷ୍ଠୀ ଚାଷ କରିବା ନେଇ ଗ୍ରାମବାସୀ ବିରୋଧ କରି ବାଲିଗୁଡ଼ା ଉପଜିଲାପାଳ ଏବଂ କନ୍ଧମାଳ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଦାରିଙ୍ଗବାଡ଼ି ତହସିଲଦାରଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ନିର୍ଦ୍ଦେଶ ପାଇ ଗୁରୁବାର ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଉକ୍ତ ଜମିକୁ ଯିବାକୁ ବାରଣ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ ଗୋଷ୍ଠୀ ଚାଷ କରି ପରିବାର ପ୍ରତିପୋଷଣ ହେଉଥିବା ବେଳେ ସେଠାରେ ଏକ ଗୃହ ନିର୍ମାଣ ମଧ୍ୟ କରାଯାଉଥିଲା। ତାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ତହସିଲଦାର କହିଛନ୍ତି।